ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼
ନୂଆଗାଁ, ୨୭/୧୦: ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଉଦ୍ଦେଶ୍ୟରେ ନୟାଗଡ଼ ‘ମାଇଁ ଭାରତ’ ଓ ନୀଳଚକ୍ର ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ନୂଆଗାଁଠାରେ ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୨୪ ତାରିଖରେ ନୂଆଗାଁ ବ୍ଲକ ସମ୍ମିଳନୀ କକ୍ଷରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ନୂଆଗାଁ ଡିଗ୍ରୀ ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ଯୁବ ସାମାଜିକ କର୍ମୀ ଶିବରାମ ମହାପାତ୍ର, ମୀନକେତନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଚରଣ ସାହୁ, ଅଧ୍ୟାପକ ଚିନ୍ମୟ ପ୍ରଧାନ, ନୂଆଗାଁ ମହାବିଦ୍ୟାଳୟର ୱାଇଆର୍ସି କାଉନସିଲର ଦିଗାମ୍ବର ଖଣ୍ଡୁଆଳ, ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ୱାଗତ ସାହୁ ଓ ସାମାଜିକ କର୍ମୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ନିଶାସେବନର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ନିଶାସେବନ ଯୁବପିଢ଼ିଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିବା ସହ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ବୋଲି ମତ ପ୍ରକାଶ କରିଥିଲେ। ଏକ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଯୁବ ସମାଜକୁ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ନିଶାମୁକ୍ତ ଭାରତ ଗଠନର ଆହ୍ୱାନକୁ ସଫଳ କରିବା ଦିଗରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ। ନିଶାମୁକ୍ତି ଅଭିଯାନକୁ କେବଳ ସଭାସମିତି ମଧ୍ୟରେ ସୀମିତ ନରଖି ପ୍ରଥମେ ନିଜ ପରିବାର, ପରେ ଗ୍ରାମ ଓ ସମାଜରେ ସଚେତନତା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ନିଶା ନିବାରଣ ସମ୍ପର୍କିତ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ମାଧ୍ୟମରେ ନିଶାର କୁପ୍ରଭାବ ଓ ଏଥିରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ଓ ନିଶାମୁକ୍ତ ସମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଶପଥ ପାଠ କରିଥିଲେ। ଏଥିସହ ଯୁବପିଢ଼ିଙ୍କୁ ସାମାଜିକ ସେବା, ସଚେତନତା କାର୍ଯ୍ୟକ୍ରମ ଓ ରାଷ୍ଟ୍ର ନିର୍ମାଣମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ‘ମାଇଁ ଭାରତ’ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯାଇଥିଲା। ଯୁବ ସମାଜର ସାମର୍ଥ୍ୟ ଓ ସୃଜନଶୀଳତାକୁ ସମାଜର ବିକାଶ ଦିଗରେ ବିନିଯୋଗ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକ ବିଶ୍ୱଜିତ ଖଣ୍ଡୁଆଳ, ଧନେଶ୍ୱର ସାହୁ ଓ ରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆଗାଁ ‘ମାଇଁ ଭାରତ’ର ଯୁବ ସ୍ୱେଚ୍ଛାସେବୀ ପରମେଶ୍ୱର ସାହୁ ଓ ଦୀପକ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତି ସଚେତନତା ସୃଷ୍ଟି କରିବା ସହ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।





