ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
କପ୍ତିପଦା, ୧୦/୧୧/୨୬ – ମୟୂରଭଞ୍ଜ ଜିଲ୍ଲା,କପ୍ତିପଦା ବ୍ଲକ, ମାଙ୍କଡ଼ପଡ଼ା ପଂଚାୟତ ଅନ୍ତର୍ଗତ ଖଡ଼ିଖାଣିଆ ଗ୍ରାମର ଏକ ଅଭାବନୀୟ କାହାଣୀ । ଏହି ଗ୍ରାମର ବାସିନ୍ଦା ଗୁରୁଭା ସିଂଙ୍କର ୪ଜଣ ସନ୍ତାନ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମୁଣ୍ଡପିଛା ୫କିଗ୍ରା ଚାଉଳ ପାଇବାରୁ ବଂଚିତ ଥିବାର ଜଣାଇଛନ୍ତି । ପରିବାରକୁ ମିଳିଥିବା ରାସନକାର୍ଡ଼ରେ ଏହି ପିଲା ମାନଙ୍କର ନାମ ସଂଲଗ୍ନ ହୋଇନଥିବାରୁ ସେମାନେ ଚାଉଳ ପାଇପାରୁ ନାହାନ୍ତି ବୋଲି ଜଣାଯାଇଛି । ଦିନ ମଜୁରିଆ ଭାବରେ କାମ କରି ପରିବାରର ଭରଣ ପୋଷଣ ବୁଝୁଥିବା ଗୁରୁଭା ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ଅଭିଯୋଗ କରିଛନ୍ତି । ସେହିପରି ଜ୍ୟେଷ୍ଠ କନ୍ୟା ଲକ୍ଷ୍ମୀ ସିଂ ୫ମଶ୍ରେଣୀ ପାସ କରିବା ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ନପାରି ଘରେ ରହି ଯାଇଛନ୍ତି । ବର୍ତ୍ତମାନ ଲକ୍ଷ୍ମୀଙ୍କୁ ବୟସ ୧୮ବର୍ଷ ଛୁଇଁଯାଇଥିବାର ଜଣାଯାଇଛି । ଦ୍ୱିତୀୟ ଓ ତୃତୀୟ କନ୍ୟା ଯଥାକ୍ରମେ ସରସ୍ୱତୀ ସିଂ ଏବଂ ଦୀପା ସିଂ ମଧ୍ୟ ଅନୁରୂପ ଭାବେ ୫ମଶ୍ରେଣୀ ପରେ ଆଜକୁ ୪ବର୍ଷ ଧରି ଆଦୌ ବିଦ୍ୟାଳୟ ଯାଇନାହାଁନ୍ତି ।

ବିଦ୍ୟାଳୟ ଖାତାରେ ତାଙ୍କର ନାମ ଗଡ଼ି ଚାଲିଛି କି କଟି ଯାଇଛି ତାହା ପରିବାରକୁ ଅଜଣା । ସରସ୍ୱତୀଙ୍କୁ ବର୍ତ୍ତମାନ ବୟସ ୧୬ବର୍ଷ ଛୁଇଁଥିବା ବେଳେ ଦୀପାଙ୍କୁ ବୟସ ୧୪ବର୍ଷ ଛୁଇଁଲାଣି । ଦିର୍ଘଦିନ ଧରି ଅନୁପସ୍ଥିତ ଏହି ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ମଧ୍ୟ ଆଦୌ ଖୋଜା ପଡ଼ିନାହିଁ । ଏହିଭଳି ବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ବିଭିନ୍ନ କାରଣରୁ ପାଠପଢ଼ାରେ ଡ଼ୋରି ବାନ୍ଧିବାକୁ ବାଧ୍ୟ ହେଉଥିବାର କଥା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରଥମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ସରକାର ଘୋଷଣା କରିଥିବା ସମୟରେ ଏହି ଘୋଷଣାକୁ ସଫଳ କରିବା ପାଇଁ କପ୍ତିପଦା ବ୍ଲକରେ ‘ଆସ ସ୍କୁଲ ଯିବା’ ଅଭିଯାନ ଚାଲିଛି । ମାତ୍ର ଏସବୁ ଯେ କେବଳ ପ୍ରହସନ ବୋଲି ଏହି କାହାଣୀ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଦ୍ୟାଳୟକୁ ପିଲା ଆସନ୍ତୁ କିମ୍ବା ନଆସନ୍ତୁ ସରକାରୀ ଫାଇଲ ଚାଷରେ ସବୁ ଠିକ୍ ଚାଲିଛି ବୋଲି ଦର୍ଶାଯାଉଥିବାର କଥା ଶୁଣାଯାଉଛି । ତେବେ ସରସ୍ୱତୀ ଓ ଦୀପାଙ୍କ କ୍ଷେତ୍ରରେ ବାସ୍ତବ ଚିତ୍ର କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଆଦିବାସୀ ଭାଇ ଭଉଣୀ ମାନଙ୍କର ସବୁପ୍ରକାର ସୁଖଦୁଃଖ ବୁଝିବା ପାଇଁ ଏଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରୁଛି । ଯାହାର କାର୍ଯ୍ୟାଳୟ ଉଦଳା ଠାରେ ରହିଛି । କିନ୍ତୁବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ୁଥିବା ବେଳେ ଉକ୍ତ ପ୍ରକଳ୍ପ ଏହାର କୌଣସି ପ୍ରତିକାର ନକରି କାହିଁକି ଚୁପ ମାରି ବସିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବହୁ ସମାଜସେବୀ ଅନୁରୋଧ ଜଣାଇଛନ୍ତି । ଏହି ବୟସର ପିଲାଙ୍କୁ ପାଠସହିତ ବାନ୍ଧିନରଖିବା ଫଳରେ ବାଲ୍ୟ ବିବାହ ବଢ଼ି ବଢ଼ି ଚାଲିଥିବାର କରୁଣ ପରିଣତି ଦେଶକୁ ଭୟଙ୍କର ବିପଦ ଡ଼ାକି ଆଣୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।





