ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ୧୧।୧୧:- ମାଣ୍ଡିଆ ଚାଷର ପ୍ରସାର, ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ସମ୍ପର୍କରେ ଚାଷୀ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ବୁଧବାର ଖୋରଧା କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚାଷୀ, କୃଷି ଅଧିକାରୀ ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇ ମାଣ୍ଡିଆ ଚାଷର ବହୁବିଧ ଉପକାରିତା ଓ ଏହାର ଚାହିଦା ବୃଦ୍ଧି ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଖୋରଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସଦାଶିବ ମହାପାତ୍ର, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୁତି ନନ୍ଦା ଏବଂ ଖୋରଧା ଉଦ୍ୟାନ କୃଷି ବିଦ୍ୟାଳୟର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀୟା ସ୍ୱସ୍ତି ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଖୋରଧା, ବାଣପୁର ଓ ଟାଙ୍ଗୀ ବ୍ଲକର କୃଷି ଉନ୍ନୟନ ଅଧିକାରୀ, ବ୍ଲକ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମାଣ୍ଡିଆର ପୁଷ୍ଟିକର ଗୁଣ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା କ୍ଷେତ୍ରରେ ଏହାର ଭୂମିକା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହ୍ୟ କରିବାର କ୍ଷମତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। କମ୍ ଜଳରେ ଚାଷ କରାଯାଇପାରୁଥିବା ଏହି ପୁଷ୍ଟିକର ଶସ୍ୟ ଚାଷୀଙ୍କ ଆୟ ବୃଦ୍ଧି ସହ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି ଅବସରରେ ମାଣ୍ଡିଆ ଚାଷର ଆଧୁନିକ ପଦ୍ଧତି, ଏହାର ପୁଷ୍ଟିକର ମୂଲ୍ୟ ଏବଂ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆର ବ୍ୟବହାର ବୃଦ୍ଧି ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ଆଲୋଚନା ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ବିଭାଗର ଅଧିକାରୀ, କୃଷି କ୍ଷେତ୍ର କର୍ମଚାରୀ, ଚାଷୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସକ୍ରିୟ ସହଯୋଗ ଯୋଗୁଁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ସଫଳତାର ସହ ସମ୍ପନ୍ନ ହୋଇଥିଲା।





