ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି/ ଖୋରଧା/ ସମୀକ୍ଷା ନ୍ୟୁଜ:
୧୦ ବ୍ଲକ୍ ଓ ସହରାଞ୍ଚଳର ୧୯୮ ଗ୍ରାମରେ କୃଷିକ୍ଷେତ୍ର ପ୍ରଭାବିତ; ୭୨ ହେକ୍ଟର କ୍ଷତି ସହ ବାଣପୁର ସର୍ବାଧିକ ପ୍ରଭାବିତ
ଖୋର୍ଦ୍ଧା, ୨୦/୧୧: ଘୂର୍ଣ୍ଣିଝଡ଼ ‘ଅକଭାନ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ କୃଷି ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାରେ ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୪୬୦ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଜଣାପଡ଼ିଛି। ନଭେମ୍ବର ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କରାଯାଇଥିବା ପ୍ରାଥମିକ ଚକ୍ଷୁ ଆକଳନ ଅନୁସାରେ ଜିଲ୍ଲାର ୧୦ଟି ବ୍ଲକ ଓ ସହରାଞ୍ଚଳର ୭୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୮ଟି ଗ୍ରାମର ଚାଷଜମି ଓ ଫସଲ ବର୍ଷାଜନିତ ପ୍ରତିକୂଳ ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଆକଳନ ଅନୁଯାୟୀ ବାଣପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧୪ଟି ଗ୍ରାମପଞ୍ଚାୟତର ୩୬ଟି ଗ୍ରାମରେ ପ୍ରାୟ ୭୨ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଛି। ଏହା ପଛକୁ ଚିଲିକା ବ୍ଲକ୍ରେ ୭ଟି ପଞ୍ଚାୟତର ୧୬ଟି ଗ୍ରାମରେ ୫୪ ହେକ୍ଟର ଏବଂ ବୋଲଗଡ଼ ବ୍ଲକ୍ର ୮ଟି ପଞ୍ଚାୟତର ୨୧ଟି ଗ୍ରାମରେ ୫୨ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସେହିପରି ବାଲିପାଟଣା ବ୍ଲକରେ ୧୬ଟି ଗ୍ରାମରେ ୪୮ ହେକ୍ଟର, ଟାଙ୍ଗୀ ବ୍ଲକର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୩୬ଟି ଗ୍ରାମରେ ୪୬ ହେକ୍ଟର ଏବଂ ବେଗୁନିଆ ବ୍ଲକର ୨୧ଟି ଗ୍ରାମରେ ୪୨ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଛି। ଖୋର୍ଦ୍ଧା ବ୍ଲକରେ ୧୨ଟି ଗ୍ରାମରେ ୪୧ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭୁବନେଶ୍ୱରର ୯ଟି ଗ୍ରାମରେ ୩୭ ହେକ୍ଟର, ଜଟଣୀର ୧୮ଟି ଗ୍ରାମରେ ୩୬ ହେକ୍ଟର ଏବଂ ବାଲିଅନ୍ତା ବ୍ଲକର ୧୩ଟି ଗ୍ରାମରେ ୩୨ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ବର୍ଷାର ପ୍ରଭାବ ପଡ଼ିଥିବା ବେଳେ ଚାଷୀମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷଜମିର ପରିମାଣ ଦୃଷ୍ଟିରୁ ବାଣପୁର ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ବାଣପୁର ଓ ଟାଙ୍ଗୀ ବ୍ଲକରେ ସର୍ବାଧିକ ୩୬ଟି ଲେଖାଏଁ ଗ୍ରାମରେ ଫସଲ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହି ତଥ୍ୟ କେବଳ ପ୍ରାଥମିକ ଚକ୍ଷୁ ଆକଳନ ଉପରେ ଆଧାରିତ। କୃଷି ବିଭାଗ ପକ୍ଷରୁ କ୍ଷେତ୍ରସ୍ତରରେ ବିସ୍ତୃତ ଯାଞ୍ଚ ଓ ଫସଲର ସ୍ଥିତି ଅନୁଧ୍ୟାନ ପରେ କ୍ଷୟକ୍ଷତିର ପ୍ରକୃତ ପରିମାଣରେ ପରିବର୍ତ୍ତନ ହୋଇପାରେ। ଏହି ବିସ୍ତୃତ ଆକଳନ ପରେ ପ୍ରକୃତ କ୍ଷତିର ପରିମାଣ ନିର୍ଦ୍ଧାରଣ ସହ ସରକାରୀ ନିୟମ ଅନୁଯାୟୀ ସହାୟତା ପାଇବାକୁ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରାଯାଇପାରିବ।






