ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୧/୧୧/୨୬ – ବୁଧବାର ମୟୂରଭଞ୍ଜର ବିଭିନ୍ନ ବ୍ଲକରେ ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସମୟରେ ସ୍ଥାନୀୟ ବଡ଼ସାହି ସରକାରୀ ଉ ପ୍ରା ବିଦ୍ୟାଳୟ ପଡ଼ିଆରେ ବଡ଼ସାହି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ବଡ଼ସାହି ସରପଞ୍ଚ ବୁଧୁରାମ ସିଂ, ସମିତି ସଭ୍ୟା ମାମିନା ମୁର୍ମୁ, ବାଲେଶ୍ୱର ସାଂସଦ ପ୍ରତିନିଧି ଶଶି ଶେଖର ପଣ୍ଡା, ମୟୂରଭଞ୍ଜ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ବାରିପଦା ଏସ ଡି ଭି ଓ ଡ: ଦୀପକ କୁମାର ପରିଡ଼ା, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ବିଜୟ କୁମାର ସାହୁ,ବ୍ଲକ୍ ମତ୍ସ୍ୟ ବିଭାଗ ଅଧିକାରୀ ସୁଧାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ବିଭିନ୍ନ ପଞ୍ଚାୟତର ଭିନ୍ନ ଭିନ୍ନ ବିଭାଗର ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ଉପଯୁକ୍ତ ପରାମର୍ଶ ଦେଇଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲା ଯାଇ ପରାମର୍ଶ ଦେଉଥିବା ଦେଖାଯାଇଥିଲା । ପ୍ରାରମ୍ଭରେ ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

ତେବେ ଏଭଳି ସଚେତନତା ମେଳା ବା ଚାଷୀଙ୍କୁ ଅବଗତି କରାଇ ଚାଷୀଙ୍କୁ ଉତ୍ସାହିତ କରିବା ଏକ ପ୍ରହସନ ବୋଲି ବ୍ଲକ ଅନ୍ତର୍ଗତ ଛେଳିଆ-ଖ ଗ୍ରାମର ଚାଷୀ ମୀନକେତନ ବେହେରା ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଚାଷୀ ମୀନକେତନଙ୍କ ନାମରେ ଭରତଚନ୍ଦ୍ରପୁର ମୌଜାରେ, ୧୪୪/୧୦୬ ନଂ ଖତିଆନରେ ରହିଛି ସମୁଦାୟ ୩ଏକର ଡାହି । ସେଇ ଜମିରେ ସେ ସରକାର ସହାୟତା କ୍ରମେ ବ୍ରଏଲର କୁକୁଡ଼ା ପାଳନ ଓ ବାୟୋ ଫ୍ଲକ୍ ଆରମ୍ଭ କରି ସେଇ ରୋଜଗାରରୁ ଅଧିକ ଜମି କିଣିବାକୁ ସକ୍ଷମ ହୋଇଥିଲେ । କ୍ରମଶଃ ସେ ଅତ୍ୟାଧୁନିକ ପ୍ରକଳ୍ପରୁ ରୋଜଗାର କରିବା ଆଶାରେ ଭୁବନେଶ୍ୱର ସିଫା, ବାଲୁଗାଁ, କଲକାତା ସିଫ୍ରି (ବାରାକପୁର) ଆଦି ଗସ୍ତ କରି ମତ୍ସ୍ୟଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏଥିରୁ ସେ ଓର୍ଣ୍ଣାମେଣ୍ଟାଲ ମାଛ ଚାଷ କରିବାକୁ ମନସ୍ଥ କରି ସରକାରୀ ସହାୟତା ଆଶାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଭେଟିଲେ ।ଅଧିକାରୀଙ୍କ ପରାମର୍ଶ କ୍ରମେ ପ୍ରଥମେ ସେ ବ୍ୟାଙ୍କ ଅଫ ଇଣ୍ଡିଆ, ବଡ଼ସାହି ଶାଖାରୁ କନ୍ସର୍ଣ୍ଣ ଚିଠି (ତା୪/୧୨/୨୩ ରିଖ) କ୍ରମେ ଅନ୍ୟାନ୍ୟ କାଗଜାତ ପ୍ରସ୍ତୁତି ସହ ଡିଷ୍ଟ୍ରିକ୍ଟ ଫିସାରି ଅଫିସରେ କାଗଜପତ୍ର ଦାଖଲ କରିଥିଲେ । ଦାଖଲ ପରେ ଅଫିସରୁ ଗୋ ଏହେଡ ଲେଟର ମିଳିଲା ଏବଂ ତାକୁ ଆଣି ବଡ଼ସାହି ବ୍ୟାଙ୍କରେ ଦାଖଲ କଲାପରେ ବ୍ୟାଙ୍କ ଅଧିକାରୀ ମୀନକେତନଙ୍କୁ ରଙ୍ଗୀନ ମାଛ ଚାଷ ସକାଶେ ଜମି ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ କରିବାକୁ କହିଲେ ।

ତେବେ ବ୍ୟାଙ୍କ ସୂଚନା କ୍ରମେ ମୀନକେତନ ସମସ୍ତ ପ୍ରସ୍ତୁତି ଶେଷ କଲେ । ସମ୍ପୂର୍ଣ୍ଣ ନିଜ ଖର୍ଚ୍ଚରେ ଜମି ପ୍ରସ୍ତୁତି, ବୋରିଂ ଦ୍ୱାରା ଜଳ ବ୍ୟବସ୍ଥା, ୬୩କେଭି ଟ୍ରାନ୍ସଫର୍ମର ସହ ୩ଫେଜ ବିଦ୍ୟୁତ ସଂଯୋଗ, ଡିପିଆର, ଜାଗାକୁ ଘରବାରି କିସମ ପରିବର୍ତ୍ତନ ଆଦି କାର୍ଯ୍ୟ ସମାପନ କରିବା ବ୍ୟତୀତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଦେଶ କ୍ରମେ ଓକିଲଙ୍କ ସହାୟତାରେ ବ୍ୟାଙ୍କରେ ଆବଶ୍ୟକ ଥିବା ଇସି ଓ ଅନ୍ୟାନ୍ୟ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ମାତ୍ର ତତ୍କାଳ ଭିତ୍ତିରେ ମାସେ ଭିତରେ ଏସବୁ କାର୍ଯ୍ୟ ସମାପନ କରି ବ୍ୟାଙ୍କ ପଛରେ ଦୌଡିବା ଫଳ ଶେଷରେ ନିରାଶ ଜନକ ହୋଇଥିଲା । ବ୍ୟାଙ୍କ କର୍ତ୍ତୃପକ୍ଷ ଶେଷରେ ଏହି ରଙ୍ଗୀନ ମାଛ ଚାଷ ପାଇଁ ମୟୂରଭଞ୍ଜ ଜାଗା ଓ ଜିଲ୍ଲା ଉପଯୁକ୍ତ ନୁହେଁ ବୋଲି ବାଣୀ ଶୁଣାଇଥିଲେ । ପୁଣି ଏତେ ଖର୍ଚ୍ଚ ପରେ ରଙ୍ଗୀନ ମାଛ ପ୍ରକଳ୍ପ ଆଶରେ ଅନ୍ୟାନ୍ୟ ଅଧିକାରୀଙ୍କୁ ବୁଝାବୁଝି କ୍ରମେ ବାରିପଦାସ୍ଥ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ସମସ୍ତ ସୂଚନା ପ୍ରଦାନ କଲେ । ଉକ୍ତ ପ୍ରକୋଷ୍ଠରେ ବ୍ୟାଂକର୍ସ ମିଟିଂ ସମୟରେ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଥିବା ଅନ୍ୟାନ୍ୟ ଅଧିକାରୀଗଣ ଘଟଣାକୁ ନେଇ ସମୀକ୍ଷା କରିବା ସହିତ ଏହା ସେଇ ମୀନକେତନଙ୍କ ଜାଗାରେ ହୋଇ ପାରିବ ବୋଲି ମତ ଦେଇଥିଲେ । ମାତ୍ର ଏତେ ସବୁ ହେଲା ପରେ ବ୍ୟାଙ୍କ ଅଫ ଇଣ୍ଡିଆ, ବଡ଼ସାହି ଶାଖା କୌଣସି ଅଧିକାରୀଙ୍କ ପରାମର୍ଶକୁ ବେଖାତିର କରି ମୀନକେତନଙ୍କ କୌଣସି ବିନତିକୁ ଅଗ୍ରାହ୍ୟ କରି ତାଙ୍କୁ ମାନସିକ ଓ ଆର୍ଥିକ ଚାପରେ ପକାଇବା ପଛରେ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବା ନେଇ ସେ ମତ୍ସ୍ୟ, ପଶୁପାଳନ ବିଭାଗର ଏଭଳି ଆୟୋଜିତ କାର୍ଯ୍ୟକ୍ରମ ଉପହାସ ଓ ହାସ୍ୟାସ୍ପଦ ବୋଲି କହିଛନ୍ତି ।
ତେବେ ବୁଧବାର ଏହି ମେଳା ଆୟୋଜନ ଅବସରରେ ସଫଳ ଗୋପାଳକ ଭାବେ ପାଇକପଡ଼ା ଗ୍ରାମର କାର୍ତ୍ତିକ ପରିଡ଼ା, ସଫଳ ପ୍ରାଣୀ ଚାଷୀ ଦେବସ୍ଥଳ ଗ୍ରାମର ଝରଣା ଅଧିକାରୀ,ସଫଳ ମତ୍ସ୍ୟ ଚାଷୀ ରଶ୍ମିରେଖା ସାହୁ ଏବଂ ସଫଳ ଚାଷୀ ଭାବେ ମଞ୍ଜୁଲତା ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଥାଉକି ଆଜିର ଏ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅଭାବରୁ ବ୍ଲକର ୩୦ ପଞ୍ଚାୟତରୁ ଅନେକ ଆଶାୟୀ ଚାଷୀ ଏଥିରେ ଯୋଗ ଦେଇ ନଥିବା ବେଳେ ତାଙ୍କ ପ୍ରତି ବଦଳରେ କେତେକ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିବାର ଦେଖା ଯାଇଥିଲା । ଶେଷରେ ବ୍ଲକ୍ ମତ୍ସ୍ୟ ବିଭାଗ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ମଧ୍ୟ କାର୍ଯ୍ୟସ୍ଥଳୀରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା ।





