ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ରାଇରଙ୍ଗପୁର, ୨୦/୧୧/୨୬ – ଐତିହାସିକ କିମ୍ବଦନ୍ତୀ ବହନ କରିଥିବା ତଥା ରାଇରଙ୍ଗପୁର ଉପଖଣ୍ଡର ସର୍ବପୁରାତନ ପ୍ରଥମ ବିଦ୍ୟାଳୟର ମାନ୍ୟତା ପାଇଥିବା ରାଇରଙ୍ଗପୁର ମ୍ୟୁନ୍ସିପାଲଟିର ମଧ୍ୟଭାଗରେ ଅବସ୍ଥିତ ପିସିଏମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦ ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି । ତତ୍କାଳୀନ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଜ୍ୟେଷ୍ଠ ଭ୍ରାତା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରେ ୧୯୩୮ମସିହାରେ ଉକ୍ତ ବିଦ୍ୟାଳୟଟି ପୂର୍ଣ୍ଣଚନ୍ଦ୍ର ମେମୋରିଆଲ (ପିସିଏମ )ବିଦ୍ୟାଳୟଟି ସ୍ଥାପିତ ହୋଇଥିବା ଜଣାଯାଏ । ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରି ବହୁ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଉଚ୍ଚପଦସ୍ଥ ଅଧିକାରୀ ହୋଇ ସେମାନଙ୍କ ଦାୟିତ୍ୱରେ ରହିଛନ୍ତି ବୋଲି ଅଞ୍ଚଳବାସୀଙ୍କ ଠାରୁ ଜଣାପଡ଼ିଛି । କାରଣ ଉତ୍ତମ ଶିକ୍ଷାଦାନ ନିମନ୍ତେ ମହାରାଜାଙ୍କ ଦୂରଦୃଷ୍ଟିର ଫଳ ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡର ସେବେଳର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସରକାରୀ କାର୍ଯ୍ୟାଳୟର ଅତି ନିକଟରେ ଉକ୍ତ ବିଦ୍ୟାଳୟର ସ୍ଥାପନା ହୋଇଥିଲା । ପୁଣି ଆଗକୁ ନଜର ଦେଇ ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ କରାଯାଇ ବିଦ୍ୟାଳୟ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ଅନ୍ୟପଟରେ ବିଇଓଙ୍କ କନଫରେନ୍ସ ହଲ ନିର୍ମାଣ ହୋଇଛି ।

ମାତ୍ର ରାଇରଙ୍ଗପୁର ଉପଖଣ୍ଡକୁ ନେଇ ବେଶ ଚର୍ଚ୍ଚିତ ଉକ୍ତ ବିଦ୍ୟାଳୟଟି ଆଜି ତାର ପୂର୍ବ ଐତିହ୍ୟ ବଜାୟ ନରଖି ଅବହେଳିତ ଅବସ୍ଥାରେ ରହିବା ଅତ୍ୟନ୍ତ ଦୁଃଖଦ ବୋଲି ଅନେକ ପୁରାତନ ବିଦ୍ୟାର୍ଥୀ ଚର୍ଚ୍ଚା କରିଛନ୍ତି । ବିଦ୍ୟାଳୟକୁ ପ୍ରବେଶ କରିବା ଗେଟଟି ନାଆଁକୁ ମାତ୍ର ଦୃଶ ସଦୃଶ ଦୟନୀୟ ସ୍ଥିତିରେ ଦଣ୍ଡାୟମାନ ନେଇ ବିଦ୍ୟାଳୟର ମୁଖପତ୍ର ବା ସୂଚୀପତ୍ର ଭଳି ବିଦ୍ୟାଳୟର ପରିଚୟ ଦେଉଛି । ବିଦ୍ୟାଳୟ ପୁରୁଣା ପୃଷ୍ଠାରେ ଦାଗ ଲାଗିବା ନେଇ ପୃଷ୍ଠା ଗୁଡ଼ିକର ଯତ୍ନ ନେବାର ଆବଶ୍ୟକତା ନେଇ ମଧ୍ୟ ସମସ୍ତେ ନିଦାବିଷ୍ଣୁ । ପୁଣି ବିଦ୍ୟାଳୟର ଏହି ଦୟନୀୟ ଗେଟ ନିକଟରେ ବିପଦସଂକୁଳ ଅବସ୍ଥାରେ ଦଣ୍ଡାୟମାନ ଶ୍ରେଣୀଗୃହର ପରିତ୍ୟକ୍ତ ଅବସ୍ଥା ବିଦ୍ୟାଳୟର ଶ୍ରୀହୀନତାକୁ ବଖାଣିବା ପାଇଁ ଯଥେଷ୍ଟ । ତେବେ ବିଇଓଙ୍କ କନଫରେନ୍ସ ହଲ ପଛପଟେ ଥିବା ପାଚେରୀଟି ମଧ୍ୟ ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ବେଳେ ପୁନଃନିର୍ମାଣ କରିବା ନେଇ କାହା ନଜର ପଡୁନାହିଁ ଭଳି ଅନୁଭୂତ ହୁଏ । ଉକ୍ତ ପାଚେରୀକୁ ଲାଗି ବହୁପୁରୁଣା ଅବ୍ୟବହୃତ ପୋଖରୀଟି ମଧ୍ୟ ଦୂଷିତ ରହିଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ସମାଧାନ କରି ଏଭଳି ଶ୍ରୀହୀନ ପରିସ୍ଥିତିରେ ରହିଥିବା ସର୍ବପୁରାତନ ବିଦ୍ୟାଳୟର ଗାରିମା ଫେରେଇ ଆଣିବାକୁ ଅଞ୍ଚଳବାସୀଙ୍କ ଦାବି ରହିଛି ।





