ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୯/୧୦/୨୬ – ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗକୁ ନେଇ କରଞ୍ଜିଆ ଗୋଲେଇସ୍ଥିତ ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ପରୀକ୍ଷା ପାଇଁ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ନମୁନା ଭାବେ ସିଲ୍ କରାଯାଇଥିବାର ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ଅବକାରୀ ବିଭାଗ ଓ ବାର୍ ମାଲିକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, କରଞ୍ଜିଆ ଗୋଲେଇଠାରେ ଥିବା ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ପରୀକ୍ଷା ପାଇଁ ସିଲ୍ କରାଯାଇଥିଲା । ମଦ ବୋତଲଗୁଡ଼ିକରେ ଥିବା ମଦର ଗୁଣବତ୍ତା ଓ ପ୍ରାମାଣିକତା ସମ୍ପର୍କରେ ପରୀକ୍ଷା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ତେବେ ଏହି ଚଢ଼ାଉକୁ ନେଇ ବାର୍ ମାଲିକଙ୍କ ପୁଅ ମଧ୍ୟ ଅଭିଯୋଗ ଆଣିଛନ୍ତି । ଅବକାରୀ ବିଭାଗକୁ ଟଙ୍କା ନଦେବାରୁ ଆକ୍ରୋଶମୂଳକ ଭାବେ ବାର୍ ଉପରେ ଚଢ଼ାଉ କରାଯାଇଥିବା ସେ ଆପତ୍ତି କରିଛନ୍ତି । ମାତ୍ର ବାର୍ ମାଲିକଙ୍କ ପୁଅଙ୍କ ଆପତ୍ତିକୁ ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଖଣ୍ଡନ କରିଛନ୍ତି । ଯଦି ଏଭଳି କୌଣସି ଘଟଣା ଘଟିଥାଏ, ତେବେ ତାହାର ପ୍ରମାଣ ଦାଖଲ କରିବାକୁ ସେ ମତ ଦେଇଛନ୍ତି । ଗୋଟିଏ ପଟେ ନକଲି ମଦ ବିକ୍ରି ଅଭିଯୋଗ ଓ ଅନ୍ୟପଟେ ଆକ୍ରୋଶମୂଳକ ଚଢ଼ାଉ ଅଭିଯୋଗକୁ ନେଇ ଘଟଣାଟି ଏବେ ଦ୍ୱନ୍ଦ୍ୱ ମଧ୍ୟରେ ରହିଥିବା ସମୟରେ ବିଦେଶୀ ମଦର ନାମ, ବ୍ରାଣ୍ଡ୍, ମୂଲ୍ୟ ଏବଂ ନକଲିକୁ ନେଇ ଅଭିଯୋଗର ସଠିକ୍ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ମଦ ନମୁନାର ପରୀକ୍ଷା ରିପୋର୍ଟ ଓ ଅବକାରୀ ବିଭାଗର ପରବର୍ତ୍ତୀ ପଦକ୍ଷେପ ନେଇ ଯଦି ମଦ ନକଲି ବୋଲି ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବାର୍କୁ ସ୍ଥାୟୀ ଭାବେ ସିଲ୍ କରିବାକୁ ସାଧାରଣରେ ଦାବି ହେଉଛି ।






