ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ରାଇରଙ୍ଗପୁର, ୩୦/୦/୨୬ -ଆର୍ମି ଓ୍ବେଲଫେୟାର ପ୍ଲେସ ମେଣ୍ଟ ଅର୍ଗାନାଇଜେସନ ତରଫରୁ ରାଇରଙ୍ଗପୁରସ୍ଥ ମହତାବ ଭବନ ପରିସରରେ ଏକ ବିଶାଳ ନିଯୁକ୍ତି ମେଳା ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ମି ଓ୍ବେଲଫେୟାର ଅର୍ଗାନାଇଜେସନ ପ୍ଲେସମେଣ୍ଟ କୋଲକାତାର ଡାଇରେକ୍ଟର କଲୋନେଲ ଗୌତମ କୁମାର ଯୋଗ ଦେଇ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଦେଶର ସୈନିକ ପରିବାରର ସଦସ୍ୟଙ୍କ ମଙ୍ଗଳାର୍ଥେ, ଆତ୍ମ ନିର୍ଭରଶୀଳ, ସାମାଜିକ ସୁରକ୍ଷା, ନିଯୁକ୍ତି ନେଇ ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମ ଥର ପାଇଁ ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲା ତଥା ଆଖପାଖ ଦୁର୍ଗମ ଅଞ୍ଚଳରେ ରହୁଥିବା ସୈନିକ ପରିବାର ଲୋକେ ଏହି ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ବୋଲି କହିଥିଲେ । ଆଜିର ନିଯୁକ୍ତି ମେଳାରେ ୧୩ ଟି ବହୁ ବଡ଼ ବଡ଼ କର୍ପୋରେଟ ସେକ୍ଟର, ବିଭିନ୍ନ ନାମିଦାମୀ କମ୍ପାନୀ, ବ୍ୟାଙ୍କ ସେକ୍ଟର, ଔଷଧ କମ୍ପାନୀ, ଶିଳ୍ପ ବିଭାଗ , ଫାଇନାନ୍ସ କମ୍ପାନୀ, ବୀମା କମ୍ପାନୀ ଭାଗ ନେଇଥିଲେ ।୧୧୩ ଜଣ ସୈନିକ ପରିବାରର ଯୁବକ,ଯୁବତୀ,ଅବସର ସେ ନାନୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ୨/୩ ସପ୍ତାହ ମଧ୍ୟରେ ନିଯୁକ୍ତି ଉପରେ ସୂଚନା ଦିଆଯିବ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ଅବସର ସୈନିକ ସଂଘର ସଭାପତି କେପଟେନ ଗୁରୁଚରଣ ହେମ୍ବ୍ରମ , ଅବସରପ୍ରାପ୍ତ ମେଜର ଦେଵେନ୍ଦ୍ର ଦାସ ଏବଂ ତାଙ୍କ ଟିମ୍ ପରିଚାଳନାରେ ସହଯୋଗ କରିଥିଲେ । ଗୁରୁଚରଣ ହେମ୍ବ୍ରମ ଙ୍କ ବଳିଷ୍ଠ ଉଦ୍ଯମ ଯୋଗୁଁ ସୈନିକ ମାନଙ୍କ ପାଇଁ ବହୁବିଧ ଜନକଲ୍ଯାଣ ଆୟୋଜନ କରାଯାଉଥିବାରୁ ସୈନିକ ମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସୁଵେଦାର ଶୁଶିଲ କୁମାର ସ୍ବାଇଁ ମଂଚ ପରିଚାଳନା କରିଥିଲେ । ଏନେଇ ନିଯୁକ୍ତି କ୍ଷେତ୍ରରେ ଯୋଗ ଦେବାକୁ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।






