ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ ସମୀକ୍ଷା ନ୍ୟୁଜ:
କୋମନା , 02-11-2026 :ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ୱର ଗ୍ରାମ ପଞ୍ଚାୟତ ଜନ୍ଦ୍ରାମୁଣ୍ଡା ଗ୍ରାମର ଦିବ୍ୟାଙ୍ଗ ମୋହନ ମାଝୀ (୪୫) ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ନଥିବା ଯୋଗୁଁ ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଦିବ୍ୟାଙ୍ଗ ପେନ୍ସନ୍ ନପାଇବାରୁ ସେ ବହୁତ କଷ୍ଟ ଓ ଅସୁବିଧାରେ ଜୀବନଯାପନ କରୁଥିଲେ । ମୋହନଙ୍କର ଦୁଇଜଣ ନାବାଳକ ସନ୍ତାନ ଅଛନ୍ତି, ଯାହାଙ୍କ ବୟସ ପ୍ରାୟ ୧୦ ବର୍ଷ ଓ ୧୨ ବର୍ଷ । ପତ୍ନୀ ମୋହନଙ୍କର ଏଭଳି ଅବସ୍ଥା ଯୋଗୁଁ କେତେ ବର୍ଷ ପୂର୍ବେ ଛାଡ଼ି ପଳାଇଥିବା ରୁ ନିଜର ଦୈନନ୍ଦିନ ଆବଶ୍ୟକତା ସହିତ ଦୁଇଜଣ ନାବାଳକ ସନ୍ତାନଙ୍କ ଲାଳନ ପାଳନ କରିବାରେ ବହୁତ ଅସୁବିଧା ହେଉଥିଲା । ପୂର୍ବରୁ ବହୁବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଯାଇ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏଥିନେଇ ପ୍ରମେୟ ଦୈନିକ ଖବରକାଗଜରେ ଖବର ପ୍ରକାଶିତ ହେବା ରୁ ଏହି ବ୍ୟକ୍ତି ଙ୍କୁ ତୁରନ୍ତ ନିଶୁଳ୍କ ଆଇନ ସେବା ପ୍ରଦାନ କରି ହସ୍ତକ୍ଷେପ କରିବାକୁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ନବନୀତା ଦାଶ ଅଧିକାର ମିତ୍ର ସୁବଳ ରଣା ଙ୍କୁ ପଠାଇଥିଲେ । ସୁବଳ ମୋହନ ଓ ତାଙ୍କ ଦୁଇ ପୁଅଙ୍କୁ ଭେଟି ଆବଶ୍ୟକୀୟ ଦଲିଲପତ୍ର ସଂଗ୍ରହ ଓ ବ୍ୟବସ୍ଥା କରିବାରେ ସହାୟତା କରିଥିଲେ।ଡାକ୍ତରୀ ବୋର୍ଡ କୁ ତାଙ୍କୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଚିକିତ୍ସା ପରୀକ୍ଷା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ କରିବାରେ ସହାୟତା କରିଥିଲେ ଓ ତାଙ୍କର ଦୁଇଜଣ ନାବାଳକ ପୁଅଙ୍କୁ ଶିଶୁ କଲ୍ୟାଣ କମିଟି ସମ୍ମୁଖ କୁ ନେଇ ବିଭିନ୍ନ ସରକାରୀ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରି ସହାୟତା କରିବାକୁ ଆବେଦନ କରିଥିଲେ । ଏହା ପରେ ସେ ମୋହନଙ୍କ ପାଇଁ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ପେନ୍ସନ୍ ପ୍ରାପ୍ତି ପାଇଁ ଆବେଦନ ମଧ୍ୟ କରିଥିଲେ ଓ ସବୁବେଳେ ବ୍ୟାଙ୍କ କୁ ଯିବାରେ ଅସୁବିଧା ହେବ ବୋଲି ତାଙ୍କୁ ଭତ୍ତା ଟଙ୍କା ନଗଦ ଦିଆଯାଉ ବୋଲି ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ପ୍ରଥମ ଥର ପାଇଁ ଭତ୍ତା ଟଙ୍କା ନିଜ ହାତରେ ପାଇ ମୋହନ ଭାରି ଖୁସି ହୋଇଥିଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଓ ଅଧିକାର ମିତ୍ରଙ୍କୁ ତାଙ୍କର ସମୟୋଚିତ ହସ୍ତକ୍ଷେପ ପାଇଁ ଅଶେଷ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରମେୟ ଖବରକାଗଜ ପ୍ରତିନିଧି ଚେତୁରାମ ପ୍ରଧାନୀ ଙ୍କୁ ମଧ୍ୟ ଖୁସି ହୋଇ ପ୍ରଶଂସା କରିଥିଲେ । ଆଇନ ସେବା ପ୍ରାଧିକରଣର ଏହି ଭଳି ଜନ କଲ୍ୟାଣକାରୀ ସହଯୋଗ ପାଇଁ ଅଂଚଳରେ ବୁଦ୍ଧିଜୀବି ମହଳରେ ପ୍ରଶଂସା କରାଯାଉଛି।






