ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨/୧୧/୨୬ – ପୂର୍ବ ଅଭିଯୋଗ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ପାଳପାଟଣା ଗ୍ରାମରେ ପ୍ରସ୍ତାବିତ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନ ଚୟନକୁ ନେଇ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି । ସେହିକ୍ରମେ ସୋମବାର ପାଳପାଟଣା କ୍ଷୀରଚୋରା ଗୋପୀନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଓ ଗ୍ରାମବାସୀଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ତହସିଲ ପ୍ରଶାସନ ପକ୍ଷରୁ ସ୍କୁଲ ନିକଟରେ ଥିବା ପ୍ରାୟ ୨୫ ଡେସିମିଲ ଜମିକୁ ନେଇ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଜାଗା ଚୟନ କରାଯାଇଛି । ଉକ୍ତ ଜମିରେ ବର୍ତ୍ତମାନ ଧାନ ଚାଷ ହୋଇଥିବା ବେଳେ ସ୍କୁଲ ନିକଟରେ ଅନ୍ୟ କୌଣସି ଅତିରିକ୍ତ ଜମି ନାହିଁ । ଯଦି ଏହି ଜମିରେ ଆଶ୍ରୟସ୍ଥଳୀ ନିର୍ମାଣ ହୁଏ, ତେବେ ଭବିଷ୍ୟତରେ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ କିମ୍ବା ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ଆଉ ଜାଗା ରହିବ ନାହିଁ ତଥା ଚୟନ ସ୍ଥାନଟିରେ ବନ୍ୟା ସମୟରେ ଖୁବଶୀଘ୍ର ଜଳମୟ ହେବାର ପରିଲକ୍ଷିତ ହୋଇଥାଏ । ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନ୍ୟତ୍ର ପର୍ଯ୍ୟାପ୍ତ ସରକାରୀ ଜମି ଉପଲବ୍ଧ ଥିବା ସତ୍ତ୍ୱେ ପ୍ରଶାସନ ତାହାକୁ ଅଣଦେଖା କରୁଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶା ଯାଇଛି ।

ଘଟଣା ଅନୁଯାୟୀ ପୂର୍ବରୁ ଗତ ଅକ୍ଟୋବର ୧୫ ଓ ୨୩ ତାରିଖରେ ଏ ନେଇ ବଡ଼ସାହି ତହସିଲଦାରଙ୍କୁ ଅଭିଯୋଗକାରୀଙ୍କ ଦ୍ବାରା ଲିଖିତ ଭାବେ ଅବଗତ କରାଯାଇଥିଲା । ମାତ୍ର ଅଦ୍ୟାବଧି କୌଣସି ସନ୍ତୋଷଜନକ ପଦକ୍ଷେପ ନନେଇ ଗତ ଅକ୍ଟୋବର ୨୭ ତାରିଖରେ ତହସିଲଦାର ଗ୍ରାମବାସୀଙ୍କ ଅଜାଣତରେ ସରଜମିନ ତଦନ୍ତ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ପୂର୍ବ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ତେବେ ଆଗାମୀ ନଭେମ୍ବର ୧୧ ତାରିଖ ସୁଦ୍ଧା ବିଦ୍ୟାଳୟ ଜମିକୁ ବାଦ୍ ଦେଇ ଅନ୍ୟ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଜମି ଚିହ୍ନଟ କରାନଗଲେ, ଆସନ୍ତା ୧୨ ତାରିଖରୁ ବଡ଼ସାହି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଓ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।





