ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨/୧୧/୨୬ – ବଡ଼ସାହି ବ୍ଲକ ଅନ୍ତର୍ଗତ ଖାନୁଆ ଗ୍ରାମପଞ୍ଚାୟତରେ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ବିବାଦୀୟ ସ୍ଥାନକୁ ବାତିଲ କରି ନୁରିସାହି ଠାରେ ରହିଥିବା ସରକାରୀ ଜମିକୁ ଚିହ୍ନଟ କରିବା ନେଇ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଶାଳୁଆ ମୌଜାରେ ଉକ୍ତ ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ପୂର୍ବରୁ ଏକ ସ୍ଥାନ ନିରୂପଣ କରାଯାଇଥିଲା । ମାତ୍ର ଉକ୍ତ ସ୍ଥାନଟି ଗ୍ରାମର ଖେଳପଡ଼ିଆ ଓ ଉଚ୍ଚ ବିଦ୍ୟାଳୟ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ବେଳେ ସେଠାରେ ଜନବସତି ତଥା ଜବରଦଖଲ ରହିଥିବାରୁ ତାହା ବିବାଦୀୟ ହୋଇପଡ଼ିଛି ଏବଂ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଅନୁପଯୁକ୍ତ ବୋଲି ବିବେଚିତ ହେଉଛି । ଏଣୁ ସେହି ବିବାଦୀୟ ସ୍ଥାନକୁ ବାତିଲ କରାଯାଇ ନୁରିସାହି ଆଦିବାସୀ ବହୁଳ ଅଞ୍ଚଳ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଥିବା ଖାତା ନଂ ୭୬୨, ପ୍ଲଟ ନଂ ୨୦୨୧ର ପ୍ରାୟ ୬ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ସ୍ଥାୟୀ ଭାବେ ଚିହ୍ନଟ କରିବାକୁ ଲିଖିତ ଦାବି କରାଯାଇଛି । ଉକ୍ତ ସ୍ଥାନଟି ବିଦ୍ୟାଳୟର ବର୍ତ୍ତମାନର ଆବଶ୍ୟକତା ସହ ଭବିଷ୍ୟତର ଉନ୍ନୟନ ପାଇଁ ଯଥେଷ୍ଟ ଉପଯୋଗୀ ହେବ ବୋଲି ଖାନୁଆ ମୌଜା ଗ୍ରାମବାସୀ ତହସିଲଦାରଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିବା ଜଣାପଡିଛି ।






