ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:
ଡେଲାଙ୍ଗ: ତା ୯।୧୧ ଦୀର୍ଘ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ ହେବା କୁ ଯାଉଛି । ଡେଲାଙ୍ଗର ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ବିଶ୍ୱନାଥ ମୁଣ୍ଡିଆର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଶିଳାନ୍ୟାସ ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଓ ଡେଲାଙ୍ଗ-ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପରେ ବିଶ୍ୱନାଥ ମୁଣ୍ଡିଆ ଉପରକୁ ଯାନବାହନ ଯାତାୟାତ ପାଇଁ ପକ୍କା ରାସ୍ତା ନିର୍ମାଣ, ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଯାତ୍ରୀଙ୍କ ପାଇଁ ବିଶ୍ରାମଗୃହ, ପୁରାତନ ପାହାଚର ନବୀକରଣ ଏବଂ ଆକର୍ଷଣୀୟ ଲୁହା ବାଡ଼ ନିର୍ମାଣ ଆଦି କାର୍ଯ୍ୟ ସାମିଲ ରହିଛି। ବିଶ୍ୱନାଥ ମୁଣ୍ଡିଆ ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଯୋଗ ଦେଇ କହିଛନ୍ତି। ଅନ୍ୟପକ୍ଷରେ ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ସଶକ୍ତୀକରଣ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଡେଲାଙ୍ଗ ଅଞ୍ଚଳର ୫୦୦ ଜଣ ଲକ୍ଷପତି ଦିଦିଙ୍କୁ ନେଇ ଏକ ଏମ୍ଏସ୍ଏମ୍ଇ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ମହିଳାମାନେ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବା ସହ ଆର୍ଥିକ କ୍ଷେତ୍ରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି। ବିଧାୟକ ଆଶ୍ରିତ ପଟ୍ଟନାୟକ ନିଜ ବକ୍ତବ୍ୟରେ ବିଶ୍ୱନାଥ ମୁଣ୍ଡିଆର ବିକାଶ ଦ୍ୱାରା ଅଞ୍ଚଳର ଧାର୍ମିକ ମହତ୍ତ୍ୱ ବୃଦ୍ଧି ସହ ପର୍ଯ୍ୟଟନର ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି। ସେହିପରି ବିଶ୍ୱନାଥ ଦେବ ଯଜ୍ଞ କମିଟି ପକ୍ଷରୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବିଡିଓ ସମୀର ବେହେରା, ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ସିଡିପିଓ ମମତା ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ମହିଳା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।






