
ସୀମାଚଳ ମିଶ୍ର/ଜିଲ୍ଲା ପ୍ରତିନିଧି/ପୁରୀ/ ସମୀକ୍ଷା ନ୍ୟୁଜ:
ପୁରୀ/୪/୧୧/୨୦୨୬ : ଆଜି ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ମର ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଶେଷକୃତ୍ୟ ।ଶ୍ରୀ ମହାପାତ୍ରଙ୍କ ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ସହ ପୁତୁରା ଶୁଭାଶିଷ ମହାପାତ୍ର ଶ୍ରାଦ୍ଧ କର୍ମ କରିଥିଲେ । ପରିବାର ବର୍ଗ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ତାଙ୍କର ଦାହ ସଂସ୍କାର କରାଯାଇଛି । ସ୍ୱର୍ଗଦ୍ୱାର ଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ତାଙ୍କ ପୁତୁରା ଶୁଭାଶିଷ ଓ ଝିଆରୀ ଶୁଭଶ୍ରୀ ତାଙ୍କୁ ଅପରାହ୍ନ ୧ ଟା ୧୫ ମିନିଟ୍ ରେ ମୁଖାଗ୍ନି ଦେଇଥିଲେ। ପରିବାରଙ୍କ ମଧ୍ୟରେ ତାଙ୍କ ଭଉଣୀ,ପୁତୁରା,ପୁତୁରା ବୋହୂ,ଭାଇମାନେ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ ସେଠୀ, କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ସାଂସଦ ସମ୍ବିତ ପାତ୍ର, ପୁରୀର ପୂର୍ବତନ ବିଧାୟକ ତଥା ଡାକ୍ତର ଅଶୋକ ମହାପାତ୍ରଙ୍କ ସମ୍ପର୍କୀୟ ଭାଇ ଜୟନ୍ତ ଷଡ଼ଙ୍ଗୀ,ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ମର ଶରୀର ଭୁବନେଶ୍ୱରରୁ ଆସିବାପରେ ତାଙ୍କ ଗ୍ରାମ ବିରଗୋବିନ୍ଦପୁରକୁ ଯାଇଥିଲା । ସେଠାରେ ତାଙ୍କ ସହପାଠୀ, ଗ୍ରାମବାସୀ ଓ କୁଟୁମ୍ବ ବର୍ଗ ଶେଷ ଦର୍ଶନ କରିବା ପରେ ସିଧାସଳଖ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା।






