ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ଗୁଣପୁର, ୧୧/୧୧: ମତ୍ସ୍ୟଚାଷ ଓ ପ୍ରାଣିପାଳନ ମାଧ୍ୟମରେ ଚାଷୀଙ୍କ ଆର୍ଥିକ ସମୃଦ୍ଧି ସହ ଆତ୍ମନିର୍ଭର ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବ୍ଲକର ସମସ୍ତ ପଞ୍ଚାୟତରୁ ୪୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇ ମତ୍ସ୍ୟଚାଷ, ଗୋପାଳନ, ଛେଳି ଓ କୁକୁଡ଼ା ପାଳନ ସମ୍ପର୍କରେ ନୂତନ ଜ୍ଞାନକୌଶଳ ଓ ସରକାରୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋ-ପୂଜନ ଓ ବୃକ୍ଷରୋପଣ କରାଯାଇଥିବା ବେଳେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ ଓ ଦୀପ ପ୍ରଜ୍ୱଳନ ମାଧ୍ୟମରେ ମେଳାର ଶୁଭାରମ୍ଭ ହୋଇଥିଲା। ଏହାପରେ ଅତିଥିମାନେ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିଥିଲେ। ଗୋଷ୍ଠୀ ପ୍ରାଣିଚିକିତ୍ସା ଅଧିକାରୀ ତଥା ମେଳା ପରିଚାଳନା କମିଟିର ଆବାହକ ଡା. ରାଧେଶ୍ୟାମ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମେଳାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରରେ ସଫଳତା ହାସଲ କରିଥିବା କାଲମା ଗ୍ରାମର କୁକୁଡ଼ା ଚାଷୀ ମନୋରଞ୍ଜନ ମହାନ୍ତି, ରୂପାପଦର ଗ୍ରାମର ମତ୍ସ୍ୟଚାଷୀ ପୂନିୟା ଶବର, ସିଂଗୁବାଇ ଗ୍ରାମର ଗୋପାଳକ ତଥା ଘାସ ଉଦ୍ୟୋଗୀ ଜଗଦୀଶ ଗଙ୍ଗା ଏବଂ ଶ୍ରୀରାମପୁର ଗ୍ରାମର ମତ୍ସ୍ୟଚାଷୀ ନାଗରାଜୁ ଶବର ନିଜ ନିଜର ସଫଳତାର ଅନୁଭୂତି ବାଣ୍ଟିଥିଲେ।ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ମେଳା ପରିଚାଳନା କମିଟିର ଅଧ୍ୟକ୍ଷ ସ୍ୱସ୍ତିକ ଜମାଦାର ଚାଷୀମାନଙ୍କୁ ‘ଗୋ-ସୁଗମ’ ପୋର୍ଟାଲ ମାଧ୍ୟମରେ ସରକାରୀ ଯୋଜନାରେ ଆବେଦନ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଡା. ଶଶାଙ୍କ ଶେଖର ନାୟକ ଗୋପାଳକମାନଙ୍କୁ ଓମ୍ଫେଡ୍ ମାଧ୍ୟମରେ ଦୁଗ୍ଧ ବିକ୍ରି କରି ଦୁଗ୍ଧ ସମବାୟ ସମିତିରୁ ଅଧିକ ଆର୍ଥିକ ଲାଭ ପାଇବାକୁ ପରାମର୍ଶ ଦେଇଥିଲେ। ସହକାରୀ ମତ୍ସ୍ୟ ଅଧିକାରିଣୀ ଶତାବ୍ଦୀ ସୁଭଦ୍ରା ଶୁଭଦର୍ଶିନୀ ମତ୍ସ୍ୟଚାଷ ଓ ପ୍ରାଣିପାଳନର ବିଭିନ୍ନ ସୁଯୋଗ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିଥିଲେ।

ସେହିପରି ପଞ୍ଚାୟତ ସମିତି ଗୁଣପୁରର ଉପାଧ୍ୟକ୍ଷ ସୁଦର୍ଶନ ଶବର ଗୋ-ସମ୍ପଦ ବୀମା ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ଉତ୍ସାହିତ କରିଥିବା ବେଳେ ଗୁଣପୁର ପୌରପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନକୁ ଅଧିକ ପ୍ରୋତ୍ସାହନ ଦେବା ସହ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର ଯୋଗଦେଇ ନୂତନ ସରକାରୀ ଯୋଜନା ଓ ଆଧୁନିକ ଜ୍ଞାନକୌଶଳ ଆପଣାଇ ଚାଷୀମାନେ ଆର୍ଥିକ ଭାବେ ସଶକ୍ତ ହେବା ସହ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନରେ ସହଯୋଗ କରିବାକୁ ନିବେଦନ କରିଥିଲେ। ପଞ୍ଚାୟତ ସମିତି ଗୁଣପୁରର ଅଧ୍ୟକ୍ଷା ଝିଲି ଶବର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ କାର୍ଯ୍ୟାଦେଶ ପ୍ରଦାନ। କ୍ଷୁଦ୍ରସ୍ତରୀୟ ଛେଳି ପାଳନ ପାଇଁ ପିଲିମ ଗମାଙ୍ଗ ଓ ଅବେଦ ଶବରଙ୍କୁ ୬୬ ହଜାର ଟଙ୍କା ଲେଖାଏଁ, ୩୨ କ୍ଷମତା ବିଶିଷ୍ଟ ଛେଳି ପାଳନ ପାଇଁ ଆଲଡା ରାମବାବୁଙ୍କୁ ୧ ଲକ୍ଷ ୩୨ ହଜାର ୫୦୦ ଟଙ୍କା ଏବଂ ଜୈବ ପୁଞ୍ଜରେ ମାଛଚାଷ ପାଇଁ ପୂନିୟା ଶବରଙ୍କୁ ୧ ଲକ୍ଷ ୭୭ ହଜାର ୬୦୦ ଟଙ୍କା ସହାୟତା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବାରମାସୀ ଘାସ ଚାଷ ପାଇଁ ରାମଚନ୍ଦ୍ର ଗୌଡ଼ଙ୍କୁ ୩୫ ହଜାର ଟଙ୍କା ଓ ଧନୁ ଗୌଡ଼ଙ୍କୁ ୧୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହ ନାଗରାଜୁ ଶବର, ବିଡ଼ିକା ସୋମବ୍ରା, ଏଗା ଶବର, କିଶୋର କୁମାର ଶବର, ମା’ ମହେଶ୍ୱରୀ ମହିଳା ଏସ୍ଏଚ୍ଜି ଏବଂ ସବିତା ଗୌଡ଼ଙ୍କୁ ବିଭିନ୍ନ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସଭାରେ ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶେଷରେ ବ୍ଲକ ମତ୍ସ୍ୟ ଅଧିକାରୀ ତଥା ସହ-ଆବାହକ ଚନ୍ଦନ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମେଳାର ପ୍ରଦର୍ଶନୀ ଷ୍ଟଲ୍ଗୁଡ଼ିକ ପରିଦର୍ଶନ କରିଥିଲେ। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ସମେତ ଅନ୍ୟ ବିଭାଗର କର୍ମଚାରୀମାନେ ମେଳାର ସଫଳ ଆୟୋଜନରେ ସହଯୋଗ କରିଥିଲେ।





