ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି
ଚିକିଟି, ୨୦/୧୧/୨୦୨୬: ବାତ୍ୟା ଆସିବା ଆଗରୁ ଭୟ ଆସିଯାଏ।ଘର ଛାଡ଼ି ଆଶ୍ରୟ ସ୍ଥଳୀକୁ ଯିବା କେତେ କଷ୍ଟ,ତାହା କେବଳ ଯିଏ ଯାଇଛି ସିଏ ଜାଣିଛି।ଏଭଳି ବିପଦ ସମୟରେ ଚିକିଟି ଏନ୍ ଏ ସି ପକ୍ଷରୁ ଆଶ୍ରୟସ୍ଥଳୀରେ ରହୁଥିବା ପ୍ରାୟ ୨୦୦ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ବାତ୍ୟା ମୁକାବିଲା କେବଳ ସତର୍କ ସୂଚନା ଦେବାରେ ସୀମିତ ନୁହେଁ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପରେ ସେମାନଙ୍କ ଖାଦ୍ୟ, ପାନୀୟ ଜଳ, ଆଲୁଅ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ହିଁ ପ୍ରକୃତ ପ୍ରଶାସନିକ ତତ୍ପରତା। ଏ ଦିଗରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଫିସ୍ କର୍ମଚାରୀ ମାନେ ନିଜେ ଉପସ୍ଥିତ ରହି ବ୍ୟବସ୍ଥା ତଦାରଖ କରିବା ଲୋକଙ୍କ ମନରେ ଭରସା ସୃଷ୍ଟି କରିଛି। ତେବେ ଗୋଟିଏ ଥର ଖାଦ୍ୟ ବଣ୍ଟନରେ ଦାୟିତ୍ୱ ସରିଯାଏ ନାହିଁ। ବାତ୍ୟା ନ ଛାଡ଼ିବା ଯାଏଁ, ଲୋକେ ଘରକୁ ନ ଫେରିବା ଯାଏଁ ଏହି ସେବା ନିରନ୍ତର ଜାରି ରହିବା ଦରକାର। ବିଶେଷ କରି ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ରୋଗୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ସେହିପରି ଆଶ୍ରୟ ସ୍ଥଳୀରେ ପରିମଳ ବ୍ୟବସ୍ଥା ଓ ପିଇବା ପାଣିର ସୁବିଧା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ। ବିପଦ ସମୟରେ ପ୍ରଶାସନ ଲୋକଙ୍କ ପାଖରେ ଛିଡ଼ା ହେବା ହିଁ ସବୁଠାରୁ ବଡ଼ ଆଶ୍ୱାସନା। ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ କହିବା କଥା ପରିସ୍ଥିତି ସ୍ୱାଭାବିକ ହେବା ପରେ ଲୋକଙ୍କୁ ନିଜ ନିଜ ଘରକୁ ଫେରେଇ ଦେବା ସକାଶେ ବ୍ୟବସ୍ଥା କରାଯିବ। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ ଙ୍କ ସମେତ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।






