ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଉପକୂଳ ଗାଁରୁ ଆଶ୍ରୟସ୍ଥଳୀ ଯାଏ ପ୍ରସ୍ତୁତିର ତଦାରଖ, ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ
ଚିକିଟି-୧୯/୧୧/୨୬,ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଶଙ୍କା ଲାଗି ରହିଥିବା ବେଳେ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଚିକିଟି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗୁରୁବାର ଚିକିଟି ପ୍ରେସ୍ କ୍ଲବର ଏକ ପ୍ରତିନିଧି ଦଳ ବିଭିନ୍ନ ଉପକୂଳବର୍ତ୍ତୀ ଗ୍ରାମ ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସୁରକ୍ଷା ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ।ପ୍ରତିନିଧି ଦଳ ସୁନାପୁର ସ୍କୁଲ, ଚନ୍ଦନବାଡ଼, ଅନ୍ତରାୟପୁର, କତୁର, ଏକସିଙ୍ଗି, ଡଙ୍କଲପାଡ଼ୁ, ପାତିସୁନପୁର, ଅଲାଡ଼ିପୁର ଓ ଗୋବିନ୍ଦପୁର ଅଞ୍ଚଳର ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ। ଅଧିକାଂଶ ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ରହିବା, ରନ୍ଧାଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଥିଲା।ସମୁଦ୍ର ଜୁଆର ଦ୍ୱାରା ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ରାମେୟାପାଟଣା ଗ୍ରାମର ସ୍ଥିତିକୁ ଦଳ ଗୁରୁତ୍ୱର ସହ ଅନୁଧ୍ୟାନ କରିଥିଲା। ପୂର୍ବରୁ ନିର୍ମିତ ପଥରବନ୍ଧ ଓ ଗାର୍ଡୱାଲ୍ ଯୋଗୁଁ ସାମୁଦ୍ରିକ ଜଳ ଗ୍ରାମ ମଧ୍ୟକୁ ପ୍ରବେଶ ଆଶଙ୍କା କିଛି ମାତ୍ରାରେ କମିଥିବା ସ୍ଥାନୀୟ ଲୋକେ କହିଥିଲେ। ପୂର୍ବ ବାତ୍ୟାରେ ମୃତ୍ତିକା କ୍ଷୟ ଯୋଗୁଁ ଘର ନଷ୍ଟ ହୋଇଥିବା କିଛି ପରିବାରଙ୍କୁ ଅନ୍ୟତ୍ର ଘର ଯୋଗାଇ ଦିଆଯାଇଥିବା ମଧ୍ୟ ସେମାନେ କହିଥିଲେ।ରାମେୟାପାଟଣା ଅଞ୍ଚଳରେ ପ୍ରାୟ ୭୦୦ ରୁ ୮୦୦ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିଲା।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଓ ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା ରହିଥିଲା। ଅସୁସ୍ଥ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ଝାଟିପଦର ପଞ୍ଚାୟତ ପକ୍ଷରୁ ଜଣେ ଅଜଣା ବୟସ୍କା ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ ଓ ସଂଗଠକ ସୁରେନ୍ଦ୍ର ମଣ୍ଡଳ ଦଳୀୟ ସହଯୋଗୀଙ୍କ ସହ ବିଭିନ୍ନ ଉପକୂଳ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ଖାଦ୍ୟ ଓ ସହାୟତା ପ୍ରଦାନ କରୁଥିଲେ। ଉପଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ସକାଳୁ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାପଡ଼ିଛି।ପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ସୁନାପୁର ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲାଗୁ ହେବା ସହ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସମୁଦ୍ର ନିକଟକୁ ଯିବାକୁ ବାରଣ କରାଯାଇଛି। ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ ସମୁଦ୍ରକୁ ମାଛ ଧରିବାକୁ ଯିବା ଉପରେ କଟକଣା ଜାରି ରହିଛି। ଏହି ସମୟରେ ମଝିରେ ମଝିରେ ବର୍ଷା ହେବା ସହ ପବନର ବେଗ ବଢ଼ୁଥିବା ଅନୁଭୂତ ହୋଇଥିଲା। ବାହୁଦା ନଦୀ ଓ ସମୁଦ୍ରର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି। ବାତ୍ୟା ମୁକାବିଲା ପାଇଁ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ସିଆରସିଙ୍କୁ ନିୟୋଜିତ କରାଯାଇଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ସଜାଗ ରହିଛନ୍ତି। ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଲୋକଙ୍କ ସ୍ଥାନାନ୍ତରଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ତେବେ ବାତ୍ୟାର ଗତିପଥ ଓ ସ୍ଥଳଭାଗ ଛୁଇଁବାର ସମ୍ଭାବ୍ୟ ସ୍ଥାନ ନେଇ ସ୍ପଷ୍ଟତା ଆସିନଥିବାରୁ ଉପକୂଳବାସୀଙ୍କ ନଜର ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ରହିଛି।





