ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୨/୧୦/୨୬ – ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ କ୍ରୀଡ଼ାର ସାମଗ୍ରିକ ବିକାଶ ଓ ରାଇରଙ୍ଗପୁର ଆଥଲେଟିକ୍ ଆସୋସିଏସନ୍ର ପୁନର୍ଗଠନ ଦାବି କରାଯାଇଛି । ଏନେଇ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ଉଦ୍ଦେଶ୍ୟରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ସହ ଏକ ପ୍ରତିନିଧିମଣ୍ଡଳ ସାକ୍ଷାତ କରି ଉପଜିଲ୍ଲାପାଳ ବାମନଘାଟି (ରାଇରଙ୍ଗପୁର) ଶ୍ରୀ ଉଗ୍ରସେନ ଓରାମଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଦାବିପତ୍ରରେ ଆସୋସିଏସନ୍ର ପୁନର୍ଗଠନ, ଗଣତାନ୍ତ୍ରିକ ପଦ୍ଧତିରେ ନୂତନ କାର୍ଯ୍ୟକାରୀ କମିଟି ଗଠନ, ରାଇରଙ୍ଗପୁର ଜାତୀୟ ଷ୍ଟାଡିୟମ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସାହାଣୀ କପ୍ ସମେତ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ଗ୍ରାମାଞ୍ଚଳର ପ୍ରତିଭାବାନ୍ ଖେଳାଳିଙ୍କୁ ଚିହ୍ନଟ କରି ନିୟମିତ ପ୍ରଶିକ୍ଷଣ, କ୍ରୀଡ଼ା ଉପକରଣ ଯୋଗାଣ ଏବଂ ବାମନଘାଟି ଉପଖଣ୍ଡରେ କ୍ରୀଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ପ୍ରତିଷ୍ଠା ପାଇଁ ସରକାରୀ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି ।

ରାଇରଙ୍ଗପୁରରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭାବନା ଥିବା ସତ୍ତ୍ୱେ ଏହା ସୁନ୍ଦରଗଡ଼କୁ ସ୍ଥାନାନ୍ତରିତ ହୋଇଥିବା ଖବରକୁ ନେଇ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ଏବଂ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ । ଏଣୁ ରାଜ୍ୟ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଆସୋସିଏସନ୍କୁ ସକ୍ରିୟ କରିବା ସହ ଅଞ୍ଚଳର ଯୁବ କ୍ରୀଡ଼ାବିତ୍ଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇଦେବାକୁ ଶ୍ରୀ ପୂର୍ତ୍ତି ଲିଖିତ ନିବେଦନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଏଥେଲେଟିକର ପୂର୍ବତନ ସମ୍ଫାଦକ ଶ୍ରୀ ସୁନୀଲ ମାଝୀ, ଜଟିଆ ସାବୈଯାଁ, ବିଶ୍ବନାଥ ମାଝୀ ସରପଂଚ, ଦୁର୍ଗାଚରଣ ମୂର୍ମୁ, ଅଙ୍କୁରା ଚରଣ ପୂର୍ତ୍ତି, ଗ୍ରେସ ପଚାରି, ଫାଗୁ ବାସ୍କେ, ଦୂର୍ଗା ଚରଣ ହେମ୍ବ୍ରମ, ଶ୍ୟାମ ଚରଣ ହାଂସଦା, ରାମଚନ୍ଦ୍ର ସୋରେନ, ସଞ୍ଜୟ କୁମାର ମୁର୍ମୁ ଭୀମସେନ ସୋରେନ ଶ୍ରୀରାମ ମାର୍ଣ୍ଡି,, ଟିକୁନ ଜେରାଇ ଆଇନଜୀବୀ, ଅନିଲ କୁମାର ବିରୁଆ ସଞ୍ଜୟ କୁମାର ଟୁଡୁ ମନୋରଞ୍ଜନ ହାଁସଦା ଓ ବିରାମ ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ ।





