ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ ବନ୍ଦର ପ୍ରାଧିକରଣର ସାଂସ୍କୃତିକ ଅନୁଷ୍ଠାନ ଜଗନ୍ନାଥ ଲଳିତ କଳା ସଂସଦ ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ପରିସରରେ ‘କୁମାର ଉତ୍ସବ–୨୦୨୬’ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶାର ପାରମ୍ପରିକ କଳା, ସଂସ୍କୃତି ଓ ଲୋକପରମ୍ପରାର ପ୍ରଚାରପ୍ରସାର ସହ ନୂତନ ପିଢ଼ିର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ଲଳିତ କଳା ସଂସଦର ସଭାପତି କ୍ୟାପଟେନ୍ ଅଲେଖ ଚରଣ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଏଭଳି ଆୟୋଜନ ମାଧ୍ୟମରେ ଓଡ଼ିଆ ପରମ୍ପରାର ସଂରକ୍ଷଣ ସହ କଳା ଓ ସଂସ୍କୃତି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା।କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ପ୍ରମୁଖ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହା ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବ ଓଡ଼ିଆ ଜନଜୀବନ ଓ ସଂସ୍କୃତି ସହ ଗଭୀର ଭାବେ ଜଡ଼ିତ। ଏହି ଦିନ ଅବିବାହିତ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ସକାଳୁ ସୂର୍ଯ୍ୟପୂଜା ସହ ସନ୍ଧ୍ୟାରେ ଚାନ୍ଦ ପୂଜା କରିଥାନ୍ତି। ପାରମ୍ପରିକ ଗୀତ, ନୃତ୍ୟ, ଚାନ୍ଦ ପୂଜା ଓ ବିଭିନ୍ନ ଲୋକାଚାର ଏହି ପର୍ବର ବିଶେଷ ଆକର୍ଷଣଅଟେ l ଏହା ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟ, ଓ ସାମାଜିକ ଏକତାର ପ୍ରତୀକ ଭାବେ ପରିଚିତ।

ଉତ୍ସବ ଅବସରରେ ରବିବାର ଅପରାହ୍ନ ୪ଟାରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆରମ୍ଭ ହୋଇଥିଲା। ଏଥିରେ ଚାମଚରେ ଲେମ୍ବୁ ନେଇ ଦୌଡ଼, ସନ୍ତୁଳନ ରକ୍ଷା ପ୍ରତିଯୋଗିତା, ରଙ୍ଗୋଲି, ବେଲୁନ୍ କୁଇନ୍, ଅଳତା ଓ ମେହେନ୍ଦି ଭଳି ଆକର୍ଷଣୀୟ ପ୍ରତିଯୋଗିତା ସ୍ଥାନ ପାଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ଜୁନିୟର ଓ ସିନିୟର ବର୍ଗରେ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରତିଯୋଗୀମାନେ ନିଜ ନିଜର ପ୍ରତିଭା, ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଥିଲେ ଏହା ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ମନୋରମ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାକାରମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଉପସ୍ଥିତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ l ଯାହାକି ଜୟଦେବ ସଦନ ପରିସରକୁ ଉତ୍ସବମୁଖର କରିଥିଲା l ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ପ୍ରତିଭାର ସ୍ୱୀକୃତି ଓ ସମ୍ମାନ ପ୍ରତିଯୋଗୀମାନଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହର ସହ କଳା ଓ ସଂସ୍କୃତି କ୍ଷେତ୍ରରେ ଆଗେଇବାକୁ ପ୍ରେରଣା ଯୋଗାଇଥିଲା। ଜଗନ୍ନାଥ ଲଳିତ କଳା ସଂସଦର ସମ୍ପାଦକ ପ୍ରଶାନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଏଭଳି ଆୟୋଜନ ଆଗାମୀ ପିଢ଼ି ମଧ୍ୟରେ ଓଡ଼ିଆ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ ପରିବେଶକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି l





