ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ :
ବରଗଡ଼ ଜିଲ୍ଲାର ପ୍ରମୁଖ ରାସ୍ତାକଡ଼ ଗୁଡ଼ିକରେ ବେଆଇନ ଭାବେ ରାଖାଦ ବା ଫ୍ୟାକ୍ଟ୍ରି ବର୍ଜ୍ୟବସ୍ତୁ ଢଳାଯିବା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ବିଭିନ୍ନ ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଏହି ବିଷାକ୍ତ ଗୁଣ୍ଡ ଚିମିନି ପାଉଁଶକୁ ସୁରକ୍ଷିତ ସ୍ଥାନରେ ନଷ୍ଟ କରିବା ପରିବର୍ତ୍ତେ, କେତେକ ଟ୍ରକ୍ ଚାଳକ ଓ ଠିକାଦାର ରାତି ଅନ୍ଧାରରେ ଏହାକୁ ଜାତୀୟ ରାଜପଥ ଏବଂ ଗ୍ରାମ୍ୟ ରାସ୍ତାର କଡ଼ରେ ଢାଲି ଦେଇ ଚାଲିଯାଉଛନ୍ତି । ଏହି ବେଆଇନ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଧୂଳି ସୃଷ୍ଟି ହେଉଛି। ସାମାନ୍ୟ ପବନ ହେଲେ ରାଖାଦ ଗୁଣ୍ଡ ଉଡ଼ି ପାଖାପାଖି ଗାଁ ଏବଂ କୃଷି ଜମି ଉପରେ ପଡ଼ୁଛି। ଫଳରେ ଚାଷ ଉଜୁଡ଼ିବା ସହ ଲୋକମାନେ ଶ୍ୱାସକ୍ରିୟା ଜନିତ ରୋଗ, କାଶ ଏବଂ ଆଖି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବାଇକ୍ ଆରୋହୀ ଏବଂ ପଥଚାରୀମାନେ ରାସ୍ତାରେ ଯିବାଆସିବା କରିବା ସମୟରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି।ରାସ୍ତାକଡ଼ରେ ପାଉଁଶର ପାହାଡ଼ ସଦୃଶ ଗଦା ହୋଇ ରହିବା ଯୋଗୁଁ ବହୁ ସମୟରେ ଗାଡ଼ି ଚାଳକମାନେ ରାସ୍ତାର ମୋଡ଼ ଦେଖିପାରୁ ନାହାନ୍ତି। ବର୍ଷା ଦିନେ ଏହି ରାଖାଦ ମାଟି ରାସ୍ତା ଉପରକୁ ଭାସି ଆସି ପିଚ୍ଛିଳ ପରିବେଶ ସୃଷ୍ଟି କରୁଛି, ଯାହାଦ୍ୱାରା ଦୈନନ୍ଦିନ ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟୁଛି।ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯଦି ତୁରନ୍ତ ରାସ୍ତାକଡ଼ରୁ ଏହି ରାଖାଦ ଅପସାରଣ କରାନଯାଏ ଏବଂ ବେଆଇନ ଭାବେ ଗାଡ଼ି ଖାଲି କରୁଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।






