ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :
ଯୋଡ଼ା/କେନ୍ଦୁଝର, ୨୭/୧୦: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଥିବା ପୋଖରୀର ଗାଧୁଆ ତୁଠ ଏବେ ବିପଦର କାରଣ ପାଲଟିଛି। ତୁଠରେ ପାଣି ଜମି ରହିବା ସହ ଶିଉଳି ଆସ୍ତରଣ ଯୋଗୁଁ ଏହା ପିଚ୍ଛିଳ ହୋଇପଡ଼ିଛି। ଫଳରେ ଦୈନନ୍ଦିନ ସ୍ନାନ କରୁଥିବା ଛୋଟ ପିଲା, ମହିଳା ଓ ଅନ୍ୟ ବୟସର ଲୋକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଏଥିସହ ଜମି ରହୁଥିବା ପାଣିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଚମକପୁର ଗ୍ରାମର ଶତାଧିକ ପରିବାର ଆଙ୍ଗୁଳିଆ କଲୋନୀରେ ବସବାସ କରୁଛନ୍ତି। ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ନିର୍ମିତ ପୋଖରୀର ଗାଧୁଆ ତୁଠର ଏଭଳି ଦୁରବସ୍ଥା ଏବେ ଚିନ୍ତାର କାରଣ ହୋଇଛି। ସ୍ଥାନୀୟ ସୂତ୍ର ଅନୁସାରେ, ଶିଉଳି ଯୋଗୁଁ ଗୋଡ଼ ଖସି କେତେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଗାଧୁଆ ତୁଠର ମରାମତି, ଜମି ରହୁଥିବା ପାଣିର ନିଷ୍କାସନ ଓ ଶିଉଳି ସଫା କରିବା ସହ ଏହାକୁ ସୁରକ୍ଷିତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସମ୍ପୃକ୍ତ ପ୍ରକଳ୍ପ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।






