ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର :
ପାଟଣା, ୩୧/୧୦: ପାଟଣା ବ୍ଲକ୍ ମୁଖ୍ୟାଳୟସ୍ଥିତ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ଫିତା କାଟି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ, ଜଗଦୀଶ ନାୟକ, ପ୍ରଧାନଶିକ୍ଷୟିତ୍ରୀ ମାଳତୀ ମହାନ୍ତି, ଶିକ୍ଷକ ନେତା କମଳାକାନ୍ତ ପତି, ପାର୍ଥସାରଥୀ ବେଜ୍, କୁନାଲ କୁମାର ପଣ୍ଡା, ସନ୍ତୋଷ କୁମାର ନାଏକ ଓ ପ୍ରମୋଦ କୁମାର ମହାନ୍ତଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଶିଶୁ ମହୋତ୍ସବରେ ବ୍ଲକର ୧୩ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କୁଇଜ୍, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବିତର୍କ, ଚିତ୍ରକଳା, ଶିଳ୍ପକଳା ଓ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା।ଉଦ୍ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ସମାରୋହରେ ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସମାଜସେବୀ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ସନାତନ ଦାଶ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଓ ବଡ଼ପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଶିକ୍ଷକ ପାର୍ଥସାରଥୀ ବେଜ୍, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ କମଳାକାନ୍ତ ପତି ଓ କୁନାଲ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।






