
ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, ୦୨/୧୧: ଗୋଟିଏ ରାତିରେ ଦୁଇଟି ବିଦେଶୀ ମଦ ଦୋକାନକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ମାଣିକପାଟଣା ଛକ ନିକଟରେ ଥିବା ଠିପିବନ୍ଦ ଓ ଠିପିଖୋଲା ବିଦେଶୀ ମଦ ଦୋକାନରେ ଏହି ଘଟଣା ଘଟିଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି କ୍ୟାମେରା ଭାଙ୍ଗି ଦୋକାନରେ ପଶିଲେ ଦୁର୍ବୃତ୍ତ ,ନଗଦ ଟଙ୍କା ଓ ମଦ ଚୋରି ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୁଲିସ। ସୂଚନା ଅନୁଯାୟୀ, ବାହାଡ଼ାଝୋଲା ଫାଣ୍ଡି ନିକଟବର୍ତ୍ତୀ ମାଣିକପାଟଣା ଛକରେ ଦୁଇଟି ବିଦେଶୀ ମଦ ଦୋକାନ ରହିଛି। ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଦୁର୍ବୃତ୍ତମାନେ ପ୍ରଥମେ ଠିପିବନ୍ଦ ବିଦେଶୀ ମଦ ଦୋକାନର ସିସିଟିଭି କ୍ୟାମେରା ଭାଙ୍ଗିବା ସହ ତାଲା ଖୋଲି ଭିତରେ ପ୍ରବେଶ କରିଥିଲେ। ତେବେ ଉକ୍ତ ଦୋକାନରୁ ସେଭଳି କୌଣସି ସାମଗ୍ରୀ ଚୋରି ହୋଇନଥିବା କୁହାଯାଇଛି। ଏହାପରେ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ନିକଟରେ ଥିବା ଠିପିଖୋଲା ବିଦେଶୀ ମଦ ଦୋକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭାଗବତ ପ୍ରଧାନଙ୍କ ନାମରେ ଥିବା ‘ଲୋରା ରେଷ୍ଟୁରାଣ୍ଟ ଓ ବିଅର ବାର୍’ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପ୍ରବେଶ କରି ନଗଦ ଟଙ୍କା ଓ ମଦ ନେଇଯାଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ଉକ୍ତ ଦୋକାନରୁ ପ୍ରାୟ ୭୦ ହଜାର ଟଙ୍କା ଓ ମଦ ଚୋରି ହୋଇଛି। ତେବେ ଚୋରି ହୋଇଥିବା ମଦର ପରିମାଣ ଓ ମୋଟ କ୍ଷୟକ୍ଷତିର ସଠିକ୍ ହିସାବ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ଗୋଟିଏ ରାତିରେ ନିକଟବର୍ତ୍ତୀ ଦୁଇଟି ଦୋକାନରେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ପୁଲିସ ଫାଣ୍ଡି ନିକଟରେ ଥିବା ଦୋକାନଗୁଡ଼ିକୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ କେତେଜଣ ସମ୍ପୃକ୍ତ ଅଛନ୍ତି ଓ କେଉଁ ପରିସ୍ଥିତିରେ ଦୁଇଟି ଦୋକାନକୁ ଟାର୍ଗେଟ୍ କରାଯାଇଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ।






