ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡ/ ସମୀକ୍ଷା ନ୍ୟୁଜ:
କୋମନା,ଅର୍ଣ୍ଣବ ବାତ୍ୟା ଯୋଗୁଁ ବହୁ ସମସ୍ୟା ଦେଖା ଦେଇଛି। ତିନି ଦିନ ହେଲା ବିଦ୍ୟୁତ ସେବା ବନ୍ଦ ରହିଥିଲା। ବିଭିନ୍ନ ଜାଗା ରେ ଗଛ ଗୁଡିକ ପଡି ରାସ୍ତା ଅବରୋଧ ହୋଇଛି ଓ ଧାନ ଜମିରେ ପଡି ଅନେକ ଚାଷୀ ମାନଙ୍କର ଧାନ ନଷ୍ଟ ହୋଇଯାଇଛି। ଏହି କ୍ରମରେ ଆଜି କୋମନା ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହାବଲ ଗ୍ରାମ ରାସ୍ତାରେ ପଡ଼ିଥିବା ଗଛ ହଟାଇବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ଜୟ କିଷାନ୍ ୟୁଥ୍ କ୍ଲବ୍, ବହାବଲର ଯୁବକମାନେ ମଧ୍ୟ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ମିଶି ରାସ୍ତାରେ ପଡ଼ିଥିବା ଗଛ ଓ ଡାଳପତ୍ର ହଟାଇବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଅଗ୍ନିଶମ ବିଭାଗ ଓ ଗ୍ରାମର ଯୁବକମାନଙ୍କ ମିଳିତ ପ୍ରୟାସରେ ରାସ୍ତା ସଫା କରାଯାଇ ଯାତାୟାତକୁ ସ୍ୱାଭାବିକ କରିବାରେ ସଫଳତା ମିଳିଥିଲା। ଏହି ଅବସରରେ ଜୟ କିଷାନ୍ ୟୁଥ୍ କ୍ଲବ୍ର ଯୁବକମାନେ କହିଛନ୍ତି ଯେ, ଗ୍ରାମର ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଓ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରତ୍ୟେକ କାର୍ଯ୍ୟରେ କ୍ଲବ୍ ସର୍ବଦା ଆଗରେ ରହିବ। ଯୁବଶକ୍ତିର ଏକତା ଓ ସାମାଜିକ ଦାୟିତ୍ୱବୋଧ ହିଁ ଗ୍ରାମର ବିକାଶର ମୁଖ୍ୟ ଆଧାର।ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା କୋମନା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କୁ ଜୟ କିଷାନ୍ ୟୁଥ୍ କ୍ଲବ୍, ବହାବଲକୁ ଅଂଚଳବାସୀ ହୃଦୟର ସହିତ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।






