ଭଗବାନ ମହାନ୍ତି /ଜିଲ୍ଲା ପ୍ରତନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ :
ଜଗତସିଂହପୁର, 2/11/2026: ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଣ ବ୍ୟବସାୟ ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ତିର୍ତୋଲ ଥାନା ଅଞ୍ଚଳର ସଂଅରା ଛକ ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବିପୁଳ ପରିମାଣର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାନେସ ପୁଷ୍ଟି, ଅଭିଳାଷ ପୁଷ୍ଟି ଓ ରମେଶ ପୁଷ୍ଟି। ପୋଲିସ ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ କୋଲକାତା ଓ କଟକରୁ ବିଭିନ୍ନ ପ୍ରକାରର ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଆଣି ବିନା ଲାଇସେନ୍ସରେ ଗଚ୍ଛିତ ରଖିବା ସହ ବେଆଇନ ଭାବେ ବ୍ୟବସାୟ ଓ ବାଣ ତିଆରି କରୁଥିଲେ। ଏପରିକି ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା କଡ଼ରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଅସୁରକ୍ଷିତ ଭାବେ ଗଚ୍ଛିତ ରଖାଯାଇଥିଲା। ଯାହାକି ଏକ ବଡ଼ ଧରଣର ଅଘଟଣର କାରଣ ହୋଇପାରିଥାନ୍ତା। ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ବାଣ ସମ୍ବନ୍ଧୀୟ ୬ରୁ ୭ଟି ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଏନେଇ କନକପୁର ଫାଣ୍ଡିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା ସୂଚନା ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଥିବାରୁ ବେଆଇନ ଭାବେ ବାଣ ଓ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ ଜିଲ୍ଲାରେ ଆଗକୁ ମଧ୍ୟ କଠୋର ପଦକ୍ଷେପ ନିଆଯିବ ବୋଲି ଏସ୍ପି ଚେତାବନୀ ଦେଇଛନ୍ତି। ବେଆଇନ ବାଣ ବ୍ୟବସାୟ ବିରୋଧରେ ପୋଲିସର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।






