ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ :
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ନିକଟରେ ଚାଷୀଙ୍କ ପଞ୍ଜିକରଣ ପାଇଁ ଲାଗୁ ହୋଇଥିବା ନୂତନ (ଏଗ୍ରିଷ୍ଟାକ) ବ୍ୟବସ୍ଥା, ମଣ୍ଡିରେ ଧାନ କିଣାବିକା ଏବଂ ସାମ୍ପ୍ରତିକ ଫସଲ ନଷ୍ଟକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବରଗଡ଼ ଜିଲ୍ଲାର ସାମ୍ପ୍ରତିକ ଚାଷୀ ସମସ୍ୟା ଓ ସେମାନଙ୍କ ଆନ୍ଦୋଳନକୁ ନେଇ ଏକ ବିଶେଷ ବିବରଣୀ । ବରଗଡ଼ ଜିଲ୍ଲାରେ ସଂଯୁକ୍ତ କୃଷକ ସଂଗଠନ ଏବଂ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯାଇଛି। ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ କରାଯାଇଥିବା ଆଧାରିତ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ଚାଷୀମାନେ ତୀବ୍ର ବିରୋଧ କରୁଛନ୍ତି । ଚାଷୀଙ୍କ କହିବା ଅନୁଯାୟୀ, ଏହି ନୂତନ ବ୍ୟବସ୍ଥା ଯୋଗୁଁ ପ୍ରକୃତ ଚାଷୀ ଓ ଭାଗଚାଷୀମାନେ ନିଜ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି। ଜମିର ମାଲିକାନା ରେକର୍ଡ ଥିବା ବ୍ୟକ୍ତି ହିଁ ଏହି ଆଇଡି ପାଇପାରୁଥିବାରୁ ଭୂମିହୀନ ଓ ଭାଗଚାଷୀମାନେ ଧାନ ବିକିବାରେ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହି ଜଟିଳ ପଞ୍ଜିକରଣ ପ୍ରକ୍ରିୟାର ସରଳୀକରଣ କରାଯାଉ କିମ୍ବା ଏହାକୁ ପ୍ରତ୍ୟାହାର କରାଯାଉ। ଏହାକୁ ନେଇ ହଜାର ହଜାର ଚାଷୀ ବରଗଡ଼ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ‘ଜେଲ ଭରୋ ଆନ୍ଦୋଳନ’ କରିଛନ୍ତି। ନଭେମ୍ବର ମାସରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି । ଧାନ କ୍ରୟ ପାଇଁ ଆବଶ୍ୟକୀୟ ଟୋକନ୍ ମିଳିବାରେ ବିଳମ୍ବ ଏବଂ କମ୍ ପରିମାଣର ଧାନ ଧାର୍ଯ୍ୟ କରାଯାଉଥିବାରୁ ଚାଷୀମାନେ ମାନସିକ ଚାପରେ ଅଛନ୍ତି। ନିକଟରେ ବରଗଡ଼ ସମବାୟ ସମିତି ରେଜିଷ୍ଟ୍ରାର ଅଫିସ ବାହାରେ ଜଣେ ଚାଷୀ ଉପଯୁକ୍ତ ଟୋକନ୍ ନମିଳିବା କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଯାହାକୁ ଅନ୍ୟ ଚାଷୀମାନେ ଅଟକାଇଥିଲେ। ଧାନ ବିକ୍ରି କରିନପାରି ଋଣ ବୋଝ ଯୋଗୁଁ ଚାଷୀମାନେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରୁଥିବା ଭଳି ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ଫସଲରେ ଚକଡ଼ା ପୋକ ଏବଂ ଅନ୍ୟାନ୍ୟ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ଚାଷୀମାନେ ବଜାରରୁ ବିଭିନ୍ନ ପ୍ରକାର କୀଟନାଶକ କିଣି ପ୍ରୟୋଗ କରୁଥିଲେ ମଧ୍ୟ ପୋକ ନିୟନ୍ତ୍ରଣକୁ ଆସୁନାହାନ୍ତି, ଯାହାଫଳରେ ପାକଳ ହୋଇ ଆସୁଥିବା ଧାନ ଫସଲ ନଷ୍ଟ ହେବାକୁ ବସିଛି। ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।






