ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ: ତା-୨୩.୧୧.୨୦୨୬
ବରଗଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଓ ବିଭିନ୍ନ ପ୍ରମୁଖ ରାସ୍ତା କଡ଼ରେ ଥିବା କେତେକ ଢାବାରେ ଏବେ ଖୁଲମଖୁଲା ଭାବେ ବେଆଇନ କାରବାର ( ଚାଲିଥିବା ଅଭିଯୋଗ ହୋଇଛି। ଖାଦ୍ୟପେୟ ବ୍ୟବସାୟ ଆଳରେ ଏହି ଢାବାଗୁଡ଼ିକରେ ନିଶାଦ୍ରବ୍ୟ ତଥା ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଅବାଧ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ବିଶେଷ କରି ସନ୍ଧ୍ୟା ହେବା ମାତ୍ରେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଢାବାରେ ଅସାମାଜିକ ତତ୍ତ୍ୱ ଓ ଯୁବପିଢ଼ିଙ୍କ ଭିଡ଼ ଜମୁଛି। ଢାବା ମାଲିକମାନେ ଅଧିକ ଲାଭ ଆଶାରେ ଖାଦ୍ୟ ସହିତ ବେଆଇନ ସାମଗ୍ରୀ ବିକ୍ରି କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ଯୁବସମାଜ ପଥଭ୍ରଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ, ଏହି ବେଆଇନ କାରବାର ସମ୍ପର୍କରେ ପୋଲିସ ଓ ଅବକାରୀ ବିଭାଗ ପାଖରେ ଖବର ଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୂର୍ବରୁ ମଧ୍ୟ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧଙ୍ଗେର ଅଞ୍ଚଳର ଏକ ଢାବାରେ ପୋଲିସ ଚଢ଼ାଉ କରି ବେଆଇନ କାର୍ଯ୍ୟକଳାପ ଓ ବିପୁଳ ପରିମାଣର ଚୋରା ମଦ ଜବତ କରିଥିଲା। ତେବେ ଅନ୍ୟ ଢାବାଗୁଡ଼ିକରେ ଚାଲିଥିବା ଏହି ଗୋପନ କାରବାର ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ତୁରନ୍ତ ସ୍ୱତନ୍ତ୍ର ଚଢ଼ାଉ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।






