ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩୦/୧୦/୨୬ – ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ, କୁଣ୍ଡାବାଇ ପଂଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମର ବାସିନ୍ଦା ସ୍ୱର୍ଗତଃ ଗଙ୍ଗାଧର ଦେହୁରୀଙ୍କ ୧୫ବର୍ଷ ବୟସର ପୁତ୍ର ମିକର ଦେହୁରୀ ଆଜକୁ ୪ ବର୍ଷ ତଳୁ ପାଠପଢ଼ାରେ ଡ଼ୋରି ବାନ୍ଧି ଦେଇଥିବାର କଥା ପରିବାରର ଲୋକେ ଜଣାଇଛନ୍ତି । ମିକର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ୫ମଶ୍ରେଣୀ ପାସ କରିବା ପରେ ଜୁଆଳିଆସ୍ଥିତ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିବାର କହିଛନ୍ତି । କିନ୍ତୁ ଆଶ୍ରମ ବିଦ୍ୟାଳୟର ପରିବେଶ ତାଙ୍କୁ ଆଦୌ ଭଲ ନଲାଗିବା ଯୋଗୁଁ ସେ ଘରକୁ ପଳାଇ ଆସିଥିବାର କଥା କହିଛନ୍ତି । ଇତିମଧ୍ୟରେ ଦିର୍ଘ ୪ବର୍ଷ ସମୟ ବିତିଯାଇଛି । ବିଦ୍ୟାଳୟର ଖାତାରେ ତାଙ୍କର ନାମ ଗଡ଼ିଚାଲିଛି କି କଟି ଯାଇଛି ତାହା ତାଙ୍କୁ ଜଣାନାହିଁ ବୋଲି ମଧ୍ୟ ଜଣାଇଛନ୍ତି । ଏହିଭଳି ବିଭିନ୍ନ କାରଣରୁ ଶହ ଶହ ସଂଖ୍ୟାରେ ଆଦିବାସୀ ପିଲା ପାଠପଢ଼ା ଛାଡ଼ୁଥିବା ବେଳେ ଏହାର ପ୍ରତିକାର ପାଇଁ କୌଣସି ମହଲରେ କିଛି ତତ୍ପରତା ପ୍ରକାଶ ପାଉନଥିବାର କଥା ସାଧାରଣରେ ଚର୍ଚ୍ଚା ହେଉଛି । ତାଛଡ଼ା ମିକର ଜଣେ ଖଡ଼ିଆ ଜନଜାତିର ପିଲା ଅଟନ୍ତି । ମୟୂରଭଂଜ ଜିଲ୍ଲାରେ ବସବାସ କରୁଥିବା ଖଡ଼ିଆ, ମାଙ୍କିଡ଼ିଆ ଓ ଲୋଧା ଜନଜାତିର ଲୋକଙ୍କୁ ସବୁଠାରୁ ଅଧିକ ଅବହେଳିତ ବୋଲି ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଏହି ଜନଜାତି ଲୋକଙ୍କର ଉନ୍ନତି ସକାଶେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ସରକାରୀ ବାବୁ ମାନେ ନିୟମିତ ଢ଼ୋଲ ପିଟୁଛନ୍ତି । କିନ୍ତୁ ଏହିସବୁ ଜନଜାତିର ପିଲା ବହୁଳ ଭାବରେ ଅଧାରୁ ପାଠପଢ଼ା ଛାଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।






