ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ସୋହେଲା, ୩୧। ୧୦ ସୋହେଲା ବ୍ଲକର ବରିଷ୍ଠ କଂଗ୍ରେସ ନେତା ତଥା ଗର୍ଭଣା ଗ୍ରାମ ର ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ପଧାନଙ୍କ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ଆଜି ସକାଳେ ସୁରେଶ କୌଣସି କାମରେ ନିକଟସ୍ଥ ଦଶମାଇଲ ପଟକୁ ଯାଇଥିଲେ। ଦିନ ପ୍ରାୟ ୧୦ଟା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ସୋହେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାର ଖବର ପାଇ ଚାଷୀନେତା ଜୟକୃଷ୍ଣ ସାହୁ, କଂଗ୍ରେସ ନେତା ବାବୁଲୁ ଦେବତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଡାକ୍ତରଖାନାରେ ପହଂଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁରେଶଙ୍କ ଅକାଳ ବିୟୋଗରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ବିଜେଡି ନେତା ସୁବ୍ରତ ସିଂ, ବ୍ୟଙ୍ଗ କବି ନୀତିଶ ଆଚାର୍ଯ୍ୟ,ଗର୍ଭଣା ଦୁର୍ଗାପୂଜା କମିଟି, ଗ୍ରାମ୍ୟ କମିଟି, କୃଷକ ବିକାଶ ମଞ୍ଚ, ସୋହେଲା କୁଲିତା ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ କରା ଯାଇଛି। ସୁରେଶ ତାଙ୍କ ପଛରେ ପତ୍ନୀ ଯଶୋବନ୍ତି ପଧାନ, ପୁତ୍ର ଅନୁରାଗ, ଦୁର୍ବାଦଳ, ଝିଅ ଚେତନା ଭାଇ ସୁଦାମ, ପରେଶ, ରାଜକୁମାର, ଭଉଣୀ ପୁଷ୍ପା ସମେତ ପୁତ୍ରବଧୂ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି। ସ୍ବର୍ଗତ ଶ୍ରୀ ପଧାନ ବହୁ ବର୍ଷ ଗ୍ରାମ୍ୟ କମିଟିର ସଭାପତି ଏବଂ ଗର୍ଭଣା ଦୁର୍ଗାପୂଜା କମିଟିର ସଭାପତି ଦାୟିତ୍ୱ ସହିତ ଦୀର୍ଘ ୨୦ବର୍ଷ ଧରି ଗର୍ଭଣା ଦୁର୍ଗା ପୂଜାର କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ଗର୍ଭଣା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।






