ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨/୧୧/୨୬ – ୨୦୧୭ ରୁ ଆଦିବାସୀ କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସଂସ୍କୃତି, କଳା ଓ ଖାଦ୍ୟ ପରମ୍ପରାକୁ ବ୍ୟାପକ ପ୍ରଚାର ପ୍ରସାର ମିଳିବା ସହ ସ୍ଥାନୀୟ କାରିଗର ଉପକୃତ ହୋଇପାରିବେ । ଏହି କ୍ରମରେ ଆସନ୍ତା ୨୦୨୭ ଫେବୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଅଷ୍ଟମ ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପାଇଁ ସ୍ଥାନୀୟ ମୁର୍ଗାବାଡ଼ିସ୍ଥିତ ଗ୍ରୀନବାଗ୍ ଆପାର୍ଟମେଣ୍ଟଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାନ୍ତାଳୀ ଆର୍ଟ ଆଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତିକ୍ରମେ ଆସନ୍ତା ୨୦୨୭ ଫେବୃଆରୀ ୨୭ ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଏହି ତିନିଦିନିଆ ମହୋତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ପାରମ୍ପରିକ ଆଦିବାସୀ ଖାଦ୍ୟ ମହୋତ୍ସବ ଓ ହସ୍ତଶିଳ୍ପ ମେଳା ସମାନ୍ତରାଳ ଭାବେ ଆୟୋଜନ ହେବ ବୋଲି ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ, ସମ୍ପାଦକ ଅଧ୍ୟାପକ ଆଲୋକ ଦାସ, ମିଡିଆ ସଂଯୋଜକ ସୋମନାଥ ସିଂହ, ସିଡିପିଓ ବିନ୍ଦୁ ଗୃହ୍ନ, ଡ. ଯତୀନ ଦେଶୀ, ଡ. ଭବନ ମାଝୀ ସୁମାଲି ସୂର୍ଯ୍ୟ ହେମ୍ବ୍ରମ, ଅର୍ଜୁନ ସୋରେନ, ପାକୁ ହେମ୍ବ୍ରମ, ବନମାଳୀ ମୁର୍ମୁ, ଶୁଭଜନ ମହାନ୍ତଙ୍କ ସମେତ ସୁମି ହାଁସଦା ବେଶ୍ରା ଓ ବିଧୁ ଭୂଷଣ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।






