ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨/୧୧/୨୬ – ବାରିପଦାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ବିଜେପିର ଉଦଳା ନିର୍ବାଚନ ମଣ୍ଡଳୀ ସାଧାରଣ ସମ୍ପାଦକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଅପରାହ୍ନରେ ଉଦଳା ଥାନା ଅଧୀନ ୧୯ ନମ୍ବର ରାଜ୍ୟ ରାଜପଥର ବିସିପୁରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଉଦଳା ପଟେ ଯାଉଥିବା ଉକ୍ତ କାରଟି ସମ୍ମୁଖରୁ ବାରିପଦା ଦିଗରେ ଆସୁଥିବା ଦୁଇଟି ବ୍ୟାଟେରୀ ଚାଳିତ ଯାତ୍ରୀବାହୀ ଟେମ୍ପୋ (ଅଟୋ)କୁ ମୁହାଁମୁହିଁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଟେମ୍ପୋ ଦୁଇଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯିବା ସହ କାରର ଆଗ ଭାଗ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଟେମ୍ପୋରେ ଥିବା ୫ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଗୋଟିଏ ଅଟୋ ହ୍ୟାଣ୍ଡଲରେ ଚାପି ହୋଇଥିବା ଡ୍ରାଇଭରକୁ ଶାବଳ ସାହାଯ୍ୟରେ ତାଡି ଉଦ୍ଧାର କରିଥିଲେ । ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।






