ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୬/୧୧/୨୬ – ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର (କେଜିଭିବି) ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ନେଇ ଗତକାଲି ସରକାରଙ୍କ ପକ୍ଷରୁ ଠୋସ୍ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଗଲେ ସରକାରଙ୍କ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିବ ବୋଲି ବିଜେଡି ଚେତାବନୀ ଦେଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକର ମୃତ୍ୟୁ ନେଇ ପୁଣି ନ୍ୟାୟିକ ତଦନ୍ତ ଦାବି କରିଛି ବିଜେଡି । ଜଣେ ନାବାଳିକା ଛାତ୍ରୀ ଦୀର୍ଘ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ଜାଣି ନ ପାରିବା ଆବାସିକ ବିଦ୍ୟାଳୟର ତଦାରଖ ଓ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବୋଲି ଦଳ ଅଭିଯୋଗ କରିଛି । ତେବେ ଉକ୍ତ ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡିଛି । ଛାତ୍ରୀମାନଙ୍କ ସୁରକ୍ଷା ଓ ଦାୟିତ୍ୱରେ ଚରମ ଅବହେଳା ଅଭିଯୋଗ ନେଇ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି (ସିସିଏ) ନିୟମାବଳୀ ଆଧାରରେ ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି । ବିଜେଡି ପକ୍ଷରୁ ଏକ ପ୍ରତିନିଧି ଦଳ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ସମ୍ପୃକ୍ତ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଘଟଣାକୁ ନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।






