ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି / ବରଗଡ ସମୀକ୍ଷା ନ୍ୟୁଜ:
ବରଗଡ: ଅତାବିରା କଲେଜରେ ମୌଳିକ ସୁବିଧାର ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ର ସଂସଦ ନିର୍ବାଚନ ପରେ ପ୍ରଥମ କରି ନିର୍ବାଚିତ ଛାତ୍ର ପ୍ରତିନିଧି ଦଳ ସଭାପତି ଆ ଆୟୁଷ୍ମାନ ଚାନ୍ଦଙ୍କ ନେତୃତ୍ୱରେ ଦାବି ପତ୍ର କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। କଲେଜ ପରିସରରେ ସ୍ୱଚ୍ଛତା ଓ ସ୍ବାସ୍ଥ୍ୟକର ପରିବେଶ ରକ୍ଷା ସହ ଛାତ୍ର ଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେରଖି ବିଭିନ୍ନ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି। ଏନେଇ ଛାତ୍ର ପ୍ରତିନିଧିମାନେ ଶୁକ୍ରବାର କଲେଜ ଅଧ୍ୟକ୍ଷଙ୍କ ଉଦ୍ଧେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଦାବିପତ୍ରରେ କଲେଜର ପ୍ରତ୍ୟେକ ଶୌଚାଳୟ ରେ ଡଷ୍ଟବିନ ବ୍ୟବସ୍ଥା କରିବା ସହ ପରିମଳ ଓ ସ୍ୱଛ୍ଛତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଏଥିସହ ଛାତ୍ରମାନଙ୍କ ପାଇଁ ଏକ କମନ ରୁମ ନିର୍ମାଣ, କଲେଜ ର କ୍ୟାଣ୍ଟିନ ବ୍ୟବସ୍ଥା, ଲାଇବ୍ରେରୀ ରେ ଆବଶ୍ୟକୀୟ ପୁସ୍ତକ ଉପଲବ୍ଧ କରାଇବା ଏବଂ ଯାନବାହାନ ରଖିବାପାଇଁ ଏକ ସୁବ୍ୟବସ୍ଥିତ ପାର୍କିଂ ସ୍ଥାନ ନିର୍ମାଣ କରିବାକୁ ଦାବି ହୋଇଛି। କଲେଜ ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ, ସ୍ୱଚ୍ଛତା ଓ ଶିକ୍ଷାର ଉନ୍ନତ ପରିବେଶ ପାଇଁ ଏହି ସୁବିଧା ଗୁଡ଼ିକ ଅତ୍ୟନ୍ତ ଜରୁରୀ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତେଣୁ କଲେଜ କତ୍ତୃପକ୍ଷ ଏହି ସମସ୍ୟା ଗୁଡ଼ିକୁ ଗୁରୁତ୍ବ ର ସହ ବିଚାର କରି ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ର ପ୍ରତିନିଧି ମାନେ ନିବେଦନ କରିଛନ୍ତି। କଲେଜ ଅଧ୍ୟକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀଙ୍କୁ ଦାବିପତ୍ର ଦେବା ସମୟରେ ସଭାପତି ଚାନ୍ଦଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀରାମ ପଣ୍ଡା, ଯୁଗ୍ମ ସମ୍ପାଦକ ସୁମନ ମେହେର ଏବଂ ଛାତ୍ର କ୍ଷେତ୍ର ମୋହନ ସାହୁ ଉପସ୍ଥିତ ଥିଲେ।






