ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୪/୧୧/୨୬ – ରାଜସ୍ୱ ବିଭାଗର ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ କ୍ୟାଡର ପୁନର୍ଗଠନ ଓ ପଦୋନ୍ନତି ଦାବି ନେଇ ମୟୂରଭଞ୍ଜ ଜିଲ୍ଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ମିଳନୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦା ସ୍ଥିତ ପ୍ରୟାସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ସଦସ୍ୟଙ୍କ ସହ ରାଜ୍ୟର ପ୍ରାୟ ୩୦ଟି ଜିଲ୍ଲାରୁ ସଂଘର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେଇ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା କରିଥିଲେ ।
ରାଜସ୍ୱ ବିଭାଗର ମୁଖ୍ୟ ଆଧାର ହେଉଛନ୍ତି ଆରଆଇ, ଏଆରଆଇ ଓ ସୁପରଭାଇଜର । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କର୍ମଚାରୀମାନେ ଦିନରାତି ଏକ କରି କ୍ଷୟକ୍ଷତି ଆକଳନ, ପଲିଥିନ ବଣ୍ଟନ ସହ ଜନସାଧାରଣଙ୍କୁ ସେବା ଯୋଗାଇଥାନ୍ତି ।

ମାତ୍ର ସେମାନଙ୍କ ଅବଦାନ ସତ୍ତ୍ୱେ ବିଭିନ୍ନ ସମୟରେ ଅଯଥା ସମାଲୋଚନାର ଶିକାର ହେବାକୁ ପଡୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅନ୍ୟ ବିଭାଗରେ ନିୟମିତ କ୍ୟାଡର ପୁନର୍ଗଠନ ହେଉଥିବା ବେଳେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କ୍ଷେତ୍ରରେ ଏହା ହେଉନଥିବାରୁ ପଦୋନ୍ନତି ସମସ୍ୟା ଦେଖାଦେଇଛି । ବହୁ କର୍ମଚାରୀ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀରେ ରହିଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ନୈରାଶ୍ୟ ବଢୁଛି। ତେଣୁ ତୁରନ୍ତ କ୍ୟାଡର ପୁନର୍ଗଠନ କରି ଉପର ପଦବୀକୁ ପଦୋନ୍ନତିର ସୁଯୋଗ ସୃଷ୍ଟି କରିବାକୁ ସରକାରଙ୍କ ନିକଟରେ ଦାବି ହୋଇଛି ।
ଅନ୍ୟପକ୍ଷରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ମାମଲାରେ ନିଆଯାଉଥିବା ଆଇନଗତ ପଦକ୍ଷେପକୁ ସଂଘ ସ୍ୱାଗତ କରିଥିବା ବେଳେ କିଛି ବ୍ୟକ୍ତିଙ୍କ ଭୁଲ ପାଇଁ ସମଗ୍ର ଆରଆଇ କ୍ୟାଡରକୁ ଦୋଷୀ ଭାବେ ଚିତ୍ରଣ ନକରିବାକୁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା ସଭାପତି ପଙ୍କଜ କୁମାର ନାଥ, ସମ୍ପାଦକ ବିଭିଷଣ ସାହୁ ପ୍ରମୁଖ ଅନୁରୋଧ କରିଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ପ୍ରତିନିଧିମାନେ ଏକଜୁଟ ହୋଇ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ସହ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଉଦ୍ୟମ ଜାରି ରଖିବାକୁ ସଂକଳ୍ପ ନେଇଥିଲେ ।






