ବାସୁଦେବ ହବଡାସିଂ/ବାଣପୁର/ସମୀକ୍ଷା ନ୍ୟୁଜ:
ବାଣପୁର: ବାତ୍ୟା ଅର୍ଣ୍ଣବ ଯାଇଛି, ଆଉ ଏବେ ଅକଭାନର ପ୍ରଭାବରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ପାଣିରେ ଭସାଇ ଦେଇଛି। କେଉଁଠି ବିଲରେ ଲହଡ଼ି ମାରୁଛି ବର୍ଷା ଜଳ ତ ଆଉ କେଉଁଠି ପାଣି ଭିତରେ ବୁଡ଼ି ରହିଛି ପାଚିଲା ଧାନ ଫସଲ। ଯାହାକୁ ଦେଖି ଚାଷୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ଆଉ ମାତ୍ର ମାସେ ପରେ ବିଲରୁ ସୁନାର ଫସଲ ଅମଳ କରି ଖଳାକୁ ନେଇଥାନ୍ତେ ଚାଷୀ। ଧାର କରଜ କରି ଚାଷରେ ଲଗାଇଥିବା ଅର୍ଥ ଫେରିପାଇବା ସହ ପରିବାରର ଗୁଜୁରାଣ ମେଣ୍ଟାଇବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି ବାତ୍ୟା ଅକୱାନର ବର୍ଷା। ଫସଲ ଉଜୁଡ଼ିବା ସହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହ ଶହ ଏକର ଧାନ ଜମି ଏବେ ବର୍ଷା ପାଣିରେ ବୁଡ଼ି ରହିଛି। ଅମଳ ସମୟ ପାଖେଇ ଆସୁଥିବା ବେଳେ ଏଭଳି ପରିସ୍ଥିତି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିଲେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ବର୍ଷ ତମାମ ଝାଳବୁହା ପରିଶ୍ରମ କରି ଯେଉଁ ଫସଲକୁ ନେଇ ଚାଷୀ ପରିବାର ଦୁଇ ପଇସା ରୋଜଗାରର ଆଶା ରଖିଥିଲେ, ଆଜି ସେହି ଫସଲ ପାଣିରେ ବୁଡ଼ି ରହିଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିରେ ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ସହ ଉଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମହଲରୁ ଦାବି ହେଉଛି।






