ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼, ୨୬।୧୦ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସମାନ କାମକୁ ସମାନ ଦରମା, ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ପାରିଶ୍ରମିକ ଏବଂ ଅବସରକାଳୀନ ସୁରକ୍ଷା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ। ଦାବିଗୁଡ଼ିକ ପୂରଣ ନହେଲେ ପ୍ରଥମେ ଜିଲ୍ଲାସ୍ତରରେ ବ୍ୟାପକ ଆନ୍ଦୋଳନ ଓ ଧାରଣା କରାଯିବ। ଏହା ସତ୍ତ୍ୱେ ସମାଧାନ ନହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘବର୍ଷ ଧରି ଶିଶୁଙ୍କ ପୋଷଣ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଚେତନତା ସହ ବିଭିନ୍ନ ସରକାରୀ ଯୋଜନାର ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି। ମାତ୍ର ଏତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ସେମାନେ ଉପଯୁକ୍ତ ପାରିଶ୍ରମିକ, ସରକାରୀ ମାନ୍ୟତା ଓ ଅବସରକାଳୀନ ସୁବିଧାରୁ ବଞ୍ଚିତ ହେଉଥିବା ସଂଘ ଅଭିଯୋଗ କରିଛି। ଏନେଇ ପୂର୍ବରୁ ବିଭିନ୍ନ ବ୍ଲକର ସିଡିପିଓଙ୍କ ମାଧ୍ୟମରେ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ସଂଘ କହିଛି। ସଂଘର ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଉପଯୁକ୍ତ ସେବା ସର୍ତ୍ତାବଳୀ ଓ ସାମାଜିକ ସୁରକ୍ଷା ପ୍ରଦାନ, କର୍ମୀଙ୍କୁ ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ପାରିଶ୍ରମିକ ଏବଂ ସହାୟିକାଙ୍କ ପାଇଁ ଉପଯୁକ୍ତ ଦରମା ନିର୍ଦ୍ଧାରଣ ଅନ୍ୟତମ।

ଏଥିସହ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କୁ ସୁପରଭାଇଜର ପଦବୀରେ ୧୦୦ ପ୍ରତିଶତ ପଦୋନ୍ନତି ସୁଯୋଗ ଦେବାକୁ ଦାବି କରାଯାଇଛି। ସେହିପରି କାର୍ଯ୍ୟଦକ୍ଷତା ସମୀକ୍ଷା ସମ୍ପର୍କିତ ସର୍କୁଲାର ପ୍ରତ୍ୟାହାର, ନିର୍ଦ୍ଧାରିତ ବୟସ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା ସୁନିଶ୍ଚିତ କରିବା, ପେନ୍ସନ୍, ଗ୍ରାଚ୍ୟୁଇଟି ଓ ସମ୍ମାନଜନକ ଅବସରକାଳୀନ ସୁବିଧା ପ୍ରଦାନ ପାଇଁ ସଂଘ ଦାବି ଜଣାଇଛି। ପୋଷଣ ଟ୍ରାକରରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ତଥ୍ୟ ଅପଲୋଡ୍ ହୋଇପାରୁନଥିବା ସ୍ଥଳେ ଏଥିପାଇଁ କର୍ମୀଙ୍କ ପାରିଶ୍ରମିକ କାଟିବା ବନ୍ଦ କରିବା ସହ କଟାଯାଇଥିବା ଅର୍ଥର ପୁନର୍ବିଚାର କରିବାକୁ ଦାବି ହୋଇଛି। ଏହାବ୍ୟତୀତ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ଏସ୍ଏନ୍ପି (ସପ୍ଲିମେଣ୍ଟାରି ନ୍ୟୁଟ୍ରିସନ୍ ପ୍ରୋଗ୍ରାମ୍) ଦର ବୃଦ୍ଧି ଏବଂ ପୁନଃନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଓ ଅର୍ଥ ଆଦାୟ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ସଂଘ ଦାବି କରିଛି। ସରକାର ଦାବିଗୁଡ଼ିକୁ ଅଣଦେଖା କଲେ ସଂଘ ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଏହା କେବଳ ଦରମା ବୃଦ୍ଧିର ଲଢ଼େଇ ନୁହେଁ, ବରଂ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସମ୍ମାନ, ଅଧିକାର, ଆର୍ଥିକ ସୁରକ୍ଷା ଓ ଭବିଷ୍ୟତ ସହ ଜଡ଼ିତ ବୋଲି ସଂଘ ପ୍ରକାଶ କରିଛି। ଏହି ଦାବି ପ୍ରତି ସମର୍ଥନ ଜଣାଇବାକୁ ସଂଘ ଗଣମାଧ୍ୟମ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସଚେତନ ନାଗରିକଙ୍କୁ ଆହ୍ୱାନ ଦେଇଛି। ଦାବିପତ୍ର ସମୟରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ କନଭେନର୍ ପ୍ରଶାନ୍ତ କୁମାର ପାଢ଼ୀ, ସଭାପତି ରୁକମିନି ଜୁଆଡି, ମଞ୍ଜୁଲତା ମାଝୀ, ସରସ୍ୱତୀ,ହିମାଦ୍ରୀ ପ୍ରଧାନ,ନିବେଦିତା ପଣ୍ଡା, ରଶ୍ମି ପଟ୍ଟନାୟକ,ମିନା ମିଶ୍ର,ସୈରେନ୍ଦ୍ରୀ ମହାନନ୍ଦ,ଝୁମି ସେଠ ପ୍ରମୁଖ ଉପସ୍ଥିତ ଥିଲେ।





