ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୯/୧୦/୨୬ – ଇଂରେଜ ଶାସନ ଓ ଜମିଦାରଙ୍କ ଶୋଷଣ ବିରୁଦ୍ଧରେ ସେ ଦେଇଥିଲେ ଐତିହାସିକ ଡାକ – “ଆବୁଆ ରାଜ୍ ଏତେ ଜନା, ମହାରାଣୀ ରାଜ୍ ଟୁଣ୍ଡୁ ଜନା” ଅର୍ଥାତ୍ ଆମ ରାଜ୍ୟରେ ଆମର ଶାସନ ହେବ। ଜଙ୍ଗଲ, ଜମି ଓ ଆଦିବାସୀ ଅସ୍ମିତା ରକ୍ଷା ପାଇଁ ସେ ମହାବିଦ୍ରୋହ କରିଥିଲେ । ୨୦୨୬ ନଭେମ୍ବର ୧୫ ତାରିଖରେ ଏହି “ଧାରତୀ ଆବା” ମହାନ ଜନନାୟକ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୧ତମ ଜୟନ୍ତୀ “ଜନ ଜାତୀୟ ଗୌରବ ଦିବସ” ଭାବେ ପାଳନ କରାଯିବା ନେଇ ସର୍ବତ୍ର ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି ।ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଉଲ୍ଲିହାତୁ ଗ୍ରାମରେ ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ, ଗୁରୁବାର ଦିନ ମାତା କରମୀ ମୁଣ୍ଡା ଓ ପିତା ସଗନା ମୁଣ୍ଡାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଏହି ସହିଦ୍ ବିର୍ସା ମୁଣ୍ଡା । ମୁଣ୍ଡା ଜନଜାତିର ଭାଷା ଅନୁସାରେ ବିରସାର ଅର୍ଥ ହେଉଛି ଗୁରୁବାର, ଏହି ଦିନ ମୁଣ୍ଡା ସଂପ୍ରଦାୟର ଭଗବାନ, ଗୁରୁ ତଥା ମାର୍ଗଦର୍ଶକ ବିର୍ସା ବୋଲି କଥିତ ଅଛି । ତାଙ୍କର ଦୁଇଭାଇ ଓ ଦୁଇଭଉଣୀ ଥିବା ସମୟରେ ବିର୍ସା ଚତୁର୍ଥ ସନ୍ତାନ ଥିଲେ ।
ସେତେବେଳେ ଶୁଦ୍ର ଓ ଅତିଶୁଦ୍ର ମାନଙ୍କୁ ଶିକ୍ଷାର ଅଧିକାର ନଥିଲା, ତେଣୁ ବିର୍ସା ତାଙ୍କ ମାଉସୀଙ୍କ ପାଖରେ ରହି ବିଦ୍ୟାରମ୍ଭ କରିଥିଲେ । ୧୮୮୬ ରୁ ୧୮୯୧ ପର୍ଯ୍ୟନ୍ତ ସେଠାରେ ଅଧ୍ୟୟନ କରିଥିଲେ । ସେ ବହୁତ ସୁନ୍ଦର ବଂଶୀ ବଜାଇ ପାରୁଥିଲେ । ବଂଶୀ ବଜାଇ ବଜାଇ ଘଞ୍ଚ ଅରଣ୍ୟ ଭିତରକୁ ଯାଇ ଏକୁଟିଆ ବସି ଆଦିବାସୀ ମାନଙ୍କ ଅବସ୍ଥା ବିଷୟରେ ବିଭିନ୍ନ ଚିନ୍ତା କରୁଥିଲେ । ଆଦିବାସୀ ମାନଙ୍କୁ ଶିକ୍ଷାରୁ ବଞ୍ଚିତ ଓ ପଛୁଆ ରଖିବା କାରଣ ଖୋଜୁଥିଲେ ସେ । ସେମାନେ ସରଳ ତଥା ନିରପରାଧି ହୋଇଥିବା ସତ୍ତ୍ବେ ସବର୍ଣମାନେ ତାଙ୍କ ଉପରେ କାହିଁକି ଅତ୍ୟାଚାର କରୁଛନ୍ତି ଭାବନାରେ ସେ କଠିନ ପରିଶ୍ରମ କରି ଘଞ୍ଚ ଅରଣ୍ୟ କୁ ଚାଷଜମିରେ ପରିଣତ କଲାପରେ ତାଙ୍କ ଚାଷଜମିକୁ କାହିଁକି ଛଡାଇ ନିଆଯାଉଛି ତାହା ଭାବୁଥିଲେ । ଜଙ୍ଗଲ ଜମିର ସୁରକ୍ଷା କରି ସମଗ୍ର ବିଶ୍ୱର କଳ୍ୟାଣ ସାଧନ କରୁଥିବା ଆଦିବାସୀଙ୍କ ପ୍ରତି ଏତେ ଅତ୍ୟାଚାର କାହିଁକି ଭଳି ଏହିଭଳି ଅନେକ ପ୍ରଶ୍ନ ତାଙ୍କୁ ବିଚଳିତ କରିଥିଲା । ନିଜ ଅତୀତ ବିଷୟରେ ଅନୁଧ୍ୟାନ କରି ସେ ଜାଣିବାକୁ ପାଇଥିଲେ ଯେ ୧୭୮୯ ରୁ ୧୮୨୯ ପର୍ଯ୍ୟନ୍ତ ଦୀର୍ଘ ୩୧ ବର୍ଷ ଧରି ତାଙ୍କ ପୂର୍ବଜମାନେ ଏହି ଜଙ୍ଗଲ ଜମି ଉପରେ ହସ୍ତକ୍ଷେପ କରୁଥିବା ସବର୍ଣ୍ଣଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ଯାହାକୁ କୋଲ୍ ବିଦ୍ରୋହ ବୋଲି କୁହାଯାଏ ।

ତେବେ ମାଉସୀ ଘରେ ରହି ସାଲଗା ଗ୍ରାମ୍ୟ ବିଦ୍ୟାଳୟରେ ପାଠପଢ଼ା ପରେ ଚାଇଁବସା ସ୍ଥିତ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣେ ଜ୍ଞାନୀଙ୍କ ସାନ୍ନିଧ୍ୟ ଲାଭ କରି ସେ ଅଞ୍ଚଳର ଅତ୍ୟାଚାରୀ ଜମିଦାର, ଠିକାଦାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଇଂରେଜ ଅଧିନରୁ ମୁକ୍ତ କରି ମୁଣ୍ଡା ରାଜ୍ୟ ଗଠନର ଆହ୍ବାନ କୁ ମୁଣ୍ଡା, ଓରାମ ଏବଂ କୋହ୍ଲ ସଂପ୍ରଦାୟର ଲୋକମାନେ ସମ୍ମତି ପ୍ରଦାନ କରିଥିଲେ । ୧୮୯୪ ମସିହାର ମରୁଡି, ବସନ୍ତ , ହଇଜା ଯୋଗୁଁ ଶହ ଶହ ଲୋକ ମୃତ୍ୟୁ ବରଣ କରିଥିଲେ । ଏ ସମୟରେ ଏକ ବିଚିତ୍ର ଘଟଣା ଘଟିଥିଲା ଏବଂ ଲୋକ ତାଙ୍କୁ “ଧାରତି ଆବା” ବା ପୃଥିବୀର ପିତା କହି “ଭଗବାନଙ୍କ ଅବତାର” ବୋଲି ଗ୍ରହଣ କରିଥିଲେ । ସିଏ ବସନ୍ତ ରୋଗୀଙ୍କୁ ଛୁଇଁ ଦେଲେ ବା କଲେରା ହୋଇଥିବା ଅଞ୍ଚଳ ଦେଇ ଚାଲି ଗଲେ ରୋଗ ଉପଶମ ହେଉଥିଲା । ୧୮୯୪ ମସିହା ଅକ୍ଟୋବର ମାସ ୧ ତାରିଖରେ ନିଜ ସମର୍ଥକଙ୍କ ସହିତ ଚାଇଁବସା ଠାରେ ଇଂରେଜ ପ୍ରଶାସନଙ୍କୁ ଦାବି ପତ୍ର ଦେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ବିର୍ସା ମୁଣ୍ଡାଙ୍କ ଗିରଫଦାରୀ ବିରୋଧରେ ଆଦିବାସୀଙ୍କ ଆକ୍ରମଣରେ ଭୟଭୀତ ପ୍ରଶାସନ ଅନ୍ୟ କଏଦୀଙ୍କ ସହିତ ତାଙ୍କୁ ମଧ୍ୟ ମୁକ୍ତ କରିଥିଲେ । ସେତେବେଳେ ଇଂରେଜ ମାନେ ଆଦିବାସୀଙ୍କୁ ଖ୍ରୀଷ୍ଟିଆନ ଧର୍ମ ନେବାକୁ ବାଧ୍ୟ କରିବାକୁ ବିର୍ସା ଖୁବ ବିଦ୍ରୋହ କରୁଥିଲେ । ଏକଟିଡିହି ନାମକ ସ୍ଥାନରେ ବିରସା ନିଜର ମୁଣ୍ଡା ରାଜ୍ୟ ସ୍ଥାପନ କରିଥିଲେ । ୧୮୯୯ ମସିହାରେ ଅନେକ ଆଦିବାସୀ ନିଜର ପରିବାର ସହିତ ଡୋମ୍ବାରୀ ପାହାଡ଼ର ଗୁମ୍ଫା ଭିତରେ ରହୁଥିଲେ । ଏ ସମୟରେ ଡିସେମ୍ବର ମାସରେ ଇଂରାଜୀ ପୋଲିସ ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ ।
ଆଦେଶ ନ ମାନିବାରୁ ଗୁଳିଚାଳନା କରି ପ୍ରାୟ ୨୦୦ ଆଦିବାସୀଙ୍କୁ ମାରି ଦେଇଥିଲେ । ବିର୍ସା ମୁଣ୍ଡାଙ୍କୁ ଧରିବା ପାଇଁ ତାଙ୍କ ଉପରେ ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ପଇସା ଲାଳସାରେ କିଛି ମୁଣ୍ଡା ଲୋକ ତାଙ୍କୁ ଧରାଇ ଦେଇଥିଲେ । ରାଞ୍ଚି ଜେଲରେ ବନ୍ଦୀ ଥିବା ଅବସ୍ଥାରେ ୯ ଜୁନ ୧୯୦୦ ମସିହାରେ କଲେରା ରୋଗରେ ପୀଡିତ ହୋଇ ଇହଲିଳା ସମ୍ବରଣ କରିଥିଲେ ବିର୍ସା, ତେବେ କେତେକଙ୍କ ମତରେ ତାଙ୍କ ମୃତ୍ୟୁ ଏବେବି ରହସ୍ୟମୟ । ଯିଏ ଦିନେ କଲେରା ବ୍ୟାପିଥିବା ଅଞ୍ଚଳରେ ବୁଲି ଆସିଲେ କଲେରା, ହଇଜା ହଜି ଯାଉଥିଲା ସିଏ ପୁଣି ସେହି କଲେରା ରୋଗରେ ଆକ୍ରାନ୍ତ ହୋଇ ଇହଲୀଳା ସମ୍ବରଣ କରିଥିଲେ । ସହୀଦ ବୀର ସୁରେନ୍ଦ୍ର ସାଏ ଙ୍କ ଭଳିଆ ନିଜ ସଂପ୍ରଦାୟର କିଛି ଲୋକଙ୍କ ବିଶ୍ବାସଘାତକତା ସୀମିତ କରିଦେଇଥିଲା ତାଙ୍କ ଜୀବନ ଦୀପକୁ ମାତ୍ର ୨୫ ବର୍ଷ ବୟସରେ । ତେବେ ସେ କେବଳ ଆଦିବାସୀଙ୍କ ପାଇଁ ନୁହେଁ ଭାରତ ସ୍ବାଧୀନତା ପାଇଁ ମଧ୍ୟ ତାଙ୍କ ଅବଦାନ ରହିଛି । ଏହି ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଆଦିବାସୀ ଗୌରବ ଦିବସ’ ନାମରେ ନାମିତ କରିବା ଦାବି ସହ ଆଦିବାସୀ ସମାଜର ଅସ୍ମିତା, ସ୍ୱାଭିମାନ ଓ ସାଂସ୍କୃତିକ ପରିଚୟକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଛନ୍ତି ଭିନ୍ନ ସଂଗଠନର କର୍ମକର୍ତ୍ତା । ଏହି ଅବସରରେ ସମୀକ୍ଷା ନ୍ୟୁଜ୍ ପରିବାର ତରଫରୁ ବୀର ସହୀଦଙ୍କୁ ଅଗ୍ରୀମ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।






