କର୍ମେଶ୍ୱର ସ୍ୱାଇଁ /ପାରାଦୀପ /ସମୀକ୍ଷା ନ୍ୟୁଜ :
ପାରାଦୀପ,୨୭/୧୦ ସତର୍କତା ଓ ସଚେତନତା ସପ୍ତାହ ପାଳନ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସଚ୍ଚୋଟତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ସଚ୍ଚୋଟତା ପାଇଁ ପଦଯାତ୍ରା’, ସତର୍କତା ରଥ ଓ ପଥପ୍ରାନ୍ତ ନାଟକ ଭଳି ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏଥିରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଓ ମୁଖ୍ୟ ସତର୍କତା ଅଧିକାରୀ ଆର୍. ଏନ୍. ଅବନିକାନ୍ତ ପରିଡ଼ାଙ୍କ ଭିଡିଓ ବାର୍ତ୍ତାକୁ ନେଇ ସତର୍କତା ରଥ ସହ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ପଦଯାତ୍ରା ପାରାଦୀପ ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଅଫିସର୍ସ କ୍ଲବ୍ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପାରାଦୀପ ର ଅଧିକାରୀ ଗଣ ଓ କର୍ମଚାରୀ, ସିଆଇଏସ୍ଏଫ୍ ଯବାନମାନେ , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ଅଂଶଗ୍ରହଣ କରିଥିଲେ। ସମସ୍ତେ ପଦଯାତ୍ରାରେ ସାମିଲ ହୋଇ ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧୀ ଲଢ଼େଇରେ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମର ଅଂଶସ୍ୱରୂପ ସାଂସ୍କୃତିକ ଅନୁଷ୍ଠାନ ‘କାନମାସ୍’ ପକ୍ଷରୁ ପ୍ରସ୍ତୁତ ପଥପ୍ରାନ୍ତ ନାଟକ ‘ଏପଟ ଦେଖ୍, ସେପଟ ଦେଖ୍’ ବସ୍ ଷ୍ଟାଣ୍ଡ୍ ନିକଟ ଏବଂ ଭାଗବତ ପରିବାର ବଜାରଠାରେ ପରିବେଷଣ କରାଯାଇଥିଲା। ଆକର୍ଷଣୀୟ ନାଟକ ମାଧ୍ୟମରେ ଅଭିଜ୍ଞ କଳାକାରମାନେ ଦୁର୍ନୀତିର କୁପରିଣାମକୁ ସାମ୍ନାକୁ ଆଣିବା ସହ ନୈତିକ ଆଚରଣ, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ବିରୁଦ୍ଧରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ସାମୂହିକ ଦାୟିତ୍ୱବୋଧକୁ ଉତ୍ସାହିତ କରିବା ପାଇଁ ପାରାଦୀପ ବନ୍ଦର ସଦା ସର୍ବଦା ନିରନ୍ତର ପ୍ରୟାସ ଜାରି ରଖିଛି l






