ବାଉଁଶ କାରିଗରଙ୍କ ଜୀବିକାର ସୁରକ୍ଷା ପାଇଁ ଅନୁସୂଚିତ ଜାତି ସଂସ୍କୃତି ଭବନ ନିର୍ମାଣ ଦାବି
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୯/୧୦/୨୬ – ବାଉଁଶରେ କୁଲା, ଡଲା, ପାଛିଆ, ଠେକା ଆଦି ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ଡମ ସମ୍ପ୍ରଦାୟର କାରିଗରଙ୍କ ପାଇଁ ଏବେ ଜାଗାର ଅଭାବ ନେଇ ତାଙ୍କ ଜୀବିକାରେ ବାଧକ ଆସିଥିବା ଜଣାପଡିଛି । ଲମ୍ବା ବାଉଁଶ ଦ୍ୱାରା ପ୍ରସ୍ତୁତ ଏସବୁ ଜିନିଷ ପ୍ରସ୍ତୁତ କରିବାକୁ ଖୋଲା ଜାଗାର ଆବଶ୍ୟକତା ରହିଛି । ଏହି ପାରମ୍ପରିକ କାରିଗରଙ୍କ ବ୍ୟବସାୟ, ସାମାଜିକ ଜୀବନ ଓ ଆର୍ଥିକ ସ୍ଥିତିର ବିକାଶ ପାଇଁ ମୟୂରଭଞ୍ଜ ଜିଲ୍ଲାର ୧୧ଟି ସ୍ଥାନରେ ଅନୁସୂଚିତ ଜାତି ସଂସ୍କୃତି ଭବନ ନିର୍ମାଣ କରିବାକୁ ଦାବି ଉଠାଇଛି ଓଡ଼ିଶା ଡମ ସମାଜ ବିକାଶ ଟ୍ରଷ୍ଟ । ଟ୍ରଷ୍ଟର ସଭାପତି କରମଚାନ୍ଦ କାଳନ୍ଦୀଙ୍କ ନେତୃତ୍ୱରେ ସମ୍ପାଦକ ବିଶ୍ୱରଞ୍ଜନ ବାଗ, ଅଡିଟର ମହେଶ୍ୱର ବେହେରା, ସଦସ୍ୟ ଅନନ୍ତ ବାଗ, ଶଶାଙ୍କ ଶେଖର ତେଲେଙ୍ଗା, ଶରତ ବୈଠା, ସୁଦାମ କୁଆଁର ଏବଂ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଟାଉନ ସଭାପତି ସତ୍ୟରଞ୍ଜନ ଗୋଛାୟତ ପ୍ରମୁଖ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ଡମ ସମ୍ପ୍ରଦାୟର ଅଧିକାଂଶ ପରିବାର ବାଉଁଶ ସାମଗ୍ରୀ ତିଆରିକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି ବୋଲି ଦର୍ଶାଯାଇଛି । ହେଲେ ଘରଡିହ ବ୍ୟତୀତ ଅନ୍ୟ ଜମି ନଥିବାରୁ ଖରା, ବର୍ଷା ଓ ଶୀତରେ କାରିଗରୀ କାମ କରିବା ସହ ଉତ୍ପାଦିତ ସାମଗ୍ରୀ ରଖିବାରେ ସେମାନେ ଅସୁବିଧା ଭୋଗୁଛନ୍ତି ।

ବିବାହ, ବ୍ରତ ଓ ପୂଜାପର୍ବରେ ବ୍ୟବହୃତ ପାରମ୍ପରିକ ଢୋଲ ଓ ମହୁରୀ ଭଳି ବାଦ୍ୟଯନ୍ତ୍ର ରଖିବା ପାଇଁ ମଧ୍ୟ ଉପଯୁକ୍ତ ସ୍ଥାନର ଅଭାବ ରହିଛି । ଏହି ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତି ଓ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ଚିଠି ଆସିଥିବା ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଆଇଟିଡିଏ, ବାରିପଦା ପକ୍ଷରୁ ବିଭିନ୍ନ ବ୍ଲକରେ ଆଦିବାସୀ ଭବନ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଡମ ସମାଜ ପାଇଁ ଏଭଳି ଭବନ ମିଳିନଥିବା ଅଭିଯୋଗ ହୋଇଛି । ଏଣୁ ପ୍ରଥମ ପର୍ଯ୍ୟାୟରେ ବାରିପଦା ପୌରପାଳିକାର ୧୫ ନମ୍ବର ୱାର୍ଡର ପୂର୍ଣ୍ଣଚନ୍ଦ୍ରପୁର, ବଡ଼ସାହି ବ୍ଲକର ପାନ୍ଧଡ଼ା, ଶ୍ୟାମାଖୁଣ୍ଟା ବ୍ଲକର ଦୁଧିଆଶୋଳ, ବିଶୋଇ ବ୍ଲକର ବଡ଼ପୁରୁଣାପାଣି, ଜାମଦା ବ୍ଲକର କାଣ୍ଡଶର, ରାଇରଙ୍ଗପୁର ବ୍ଲକର ନାଗଭଣ, ଗୋପବନ୍ଧୁନଗର ବ୍ଲକର ବାରଡାଙ୍ଗୁଆ, କପ୍ତିପଦା ବ୍ଲକର ନୂଆଗାଁଗୁଡ଼ଶୋଳ, ମୋରଡ଼ା ବ୍ଲକର ମସଳଦା ଓ ନୂଆଗାଁ ଏବଂ ସୁଳିଆପଦା ବ୍ଲକର ଗଡ଼ିଆ ଆଦି ଗ୍ରାମରେ ଏହି ଭବନ ନିର୍ମାଣ କରିବାକୁ ଟ୍ରଷ୍ଟ ଦାବି କରିଛି । ଏହାଦ୍ୱାରା ପାରମ୍ପରିକ କାରିଗରଙ୍କୁ କାର୍ଯ୍ୟସ୍ଥଳ, ସାମଗ୍ରୀ ସଂରକ୍ଷଣ ଓ ସାମୂହିକ କାର୍ଯ୍ୟକ୍ରମ ପାଇଁ ସୁବିଧା ମିଳିବା ସହ ସେମାନଙ୍କ ଜୀବିକାର ବିକାଶ ହୋଇପାରିବ ବୋଲି ଟ୍ରଷ୍ଟ ଆଶା ପ୍ରକାଶ କରିଛି ।





