ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ରାଇରଙ୍ଗପୁର, ୨୯/୧୦/୨୬ – ଦୁଇ ଦିନ ପରିବର୍ତ୍ତେ ତିନି ଦିନ ପାଇଁ ପୁଣି ପରିବର୍ତ୍ତନ ହୋଇଛି ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁର ଆଗମନ କାର୍ଯ୍ୟକ୍ରମ । ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ବାଦ ରେଳ ଯୋଗାଯୋଗ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଓ ଆଦିବାସୀ ସଂସ୍କୃତି ଭଳି କାର୍ଯ୍ୟକ୍ରମ ପାଇଁ ନଭେମ୍ବର ୩ ରୁ ୫ ତାରିଖ ଯାଏଁ ରାଇରଙ୍ଗପୁରରେ ରହିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୋଲି ସୂଚନା ମିଳିଛି । ତାଙ୍କର ଏହି ଆଗମନରେ ସେ ବହଳଦାର ମା’କିଚେକେଶ୍ୱରୀଙ୍କ ଦର୍ଶନରୁ ଆରମ୍ଭ କରି ବିଭିନ୍ନ ଜାହେର ପୀଠର ବିକାଶ ଏବଂ ବାଦାମପାହାଡ଼-ପୁରୀ ନୂତନ ଏକ୍ସପ୍ରେସ ଟ୍ରେନ୍ର ଓ ଷ୍ଟେସନ ଶୁଭାରମ୍ଭ ଭଳି ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ମୟୂରଭଞ୍ଜ ଜିଲ୍ଲାପାଳ ଏଥିନେଇ ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଶୃଙ୍ଖଳା ନେଇ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଜାରି ରଖିଥିବା ସମୟରେ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ତିନିଦିନିଆ ରାଷ୍ଟ୍ରପତି କାର୍ଯ୍ୟକ୍ରମ ନେଇ ବିଭାଗ ସ୍ତରରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଗସ୍ତ କାଳରେ ରାଷ୍ଟ୍ରପତି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ, ପୂର୍ବତନ ସୈନିକଙ୍କ ପରିବାରକୁ ସମ୍ମାନ, ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ, ରେଳ ଭିତ୍ତିଭୂମିର ବିକାଶ ଏବଂ ଆଦିବାସୀ ପରମ୍ପରାର ସୁରକ୍ଷା ଉପରେ ଆଲୋକପାତ କରିବେ ।
ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରସ୍ଥାନ କରି ସେ ପଶ୍ଚିମବଙ୍ଗସ୍ଥ କଲେଇଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ । ତେବେ ଏହି ଯାତ୍ରା ମଧ୍ୟରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ବହଡାଗୋଡା ଫରେଷ୍ଟ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ବହଳଦାସ୍ଥ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତିରେ ଯୋଗ ଦେବେ । ଏନେଇ ମା’ଙ୍କ ମନ୍ଦିର ପରିବେଶ ଓ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି । ମନ୍ଦିରରୁ ଫେରି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପହଞ୍ଚି ରାତ୍ରିଯାପନ କରିବେ ବୋଲି ଜଣାପଡିଛି । ଯଥାକ୍ରମେ
ନଭେମ୍ବର ୪ତାରିଖ ଗସ୍ତର ଦ୍ୱିତୀୟ ଦିନରେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ରେଳ ଭିତ୍ତିଭୂମି ନେଇ କାର୍ଯ୍ୟକ୍ରମ ରହିଛି । ତେବେ ସକାଳେ ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ କିଛିଦିନ ପୂର୍ବରୁ ଉଦ୍ଘାଟିତ ପ୍ରତିରକ୍ଷା ବିଭାଗର ଏକ୍ସ-ସର୍ଭିସମ୍ୟାନ୍ ସିଏସ୍ଡି ନୂତନ କ୍ୟାଣ୍ଟିନ୍ ପରିଦର୍ଶନ କରିବେ ତଥା ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ପି.ଡି. ହିନ୍ଦୁଜା ହସ୍ପିଟାଲ୍ ଆଣ୍ଡ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ମଧ୍ୟରେ ନେଫ୍ରୋଲୋଜି ମେଡିକାଲ୍ କ୍ୟାମ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ସହ ବୃକକ୍ ରୋଗ ସମ୍ପର୍କିତ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଦିଗରେ ନୂତନ ମେଡିକାଲ୍ ଭ୍ୟାନ୍ର ଶୁଭାରମ୍ଭ କରିବେ । ପରେ ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ସମ୍ପର୍କରେ ପ୍ରାୟ ୧୨୦ ଜଣ ଜାହେର ପୀଠର ମୁଖିଆଙ୍କ ସହ ଆଲୋଚନା କରିବେ । ତତ୍ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡିଫେନ୍ସ ମେଗା ହେଲ୍ଥ କ୍ୟାମ୍ପରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କୁ ଭେଟିବେ । ତେବେ ଦ୍ୱିତୀୟଦିନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ରାଇରଙ୍ଗପୁର କଚେରୀ ପଡ଼ିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ଏକାଧିକ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ନେଇ ଜିଲ୍ଲାବାସୀ କଳ୍ପନା ମଧ୍ୟରେ ରହିଛନ୍ତି । ପୁଣି କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅଧୀନରେ ଖିଚିଂର ମା’କିଚେକେଶ୍ୱରୀଙ୍କ ମନ୍ଦିରର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରାଯିବା ବ୍ୟତୀତ ଜିଲ୍ଲାର ୩୭ଟି ଜାହୀର ପୀଠର ବିକାଶ ପାଇଁ ମଧ୍ୟ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି । ସେହିପରି ଡିଫେନ୍ସ ମେଗା ହେଲ୍ଥ କ୍ୟାମ୍ପର ଉଦ୍ଯାପନ ସହ ରାଇରଙ୍ଗପୁର କ୍ରୀଡ଼ା ପରିସରରେ ସ୍ପୋର୍ଟସ୍ ହଷ୍ଟେଲ୍ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ରେଳ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜକୁ କଣ ମିଳିବ ସେନେଇ ମଧ୍ୟ ସୂଚନା ବ୍ୟତୀତ ବଡ଼ାମାହାଡ଼ ଓ ପୁରୀ ମଧ୍ୟରେ ନୂତନ ଦୈନନ୍ଦିନ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ ସହ ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନ୍ର ଉଦ୍ଘାଟନ କରାଯିବାର ସୂଚନା ରହିଛି । ପୁଣି ରାଇରଙ୍ଗପୁରରେ ଗୋଶାଳା ଏବଂ ଆଦିବାସୀ ସାମାଜିକ-ଶୈକ୍ଷିକ ଓ ସାଂସ୍କୃତିକ ସଂଘ(ଆସେକା) ର କୋଠା ନିର୍ମାଣ ଓ ପୁନରୁଦ୍ଧାର ପାଇଁ ମଧ୍ୟ ଶିଳାନ୍ୟାସ କରାଯିବ । ସେହିପରି ତୃତୀୟ ଦିନ ନଭେମ୍ବର ୫ ତାରିଖ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିକିଲ୍ ସେଲ୍ ଆନିମିଆ ରୋଗରେ ପ୍ରଭାବିତ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ। ତାପରେ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଓ ଗୋରୁମହିଷାଣୀ ଆଇରନ୍ କଲେଜ ପରିଦର୍ଶନ କରିବା ସହ ଜାହେର ପୀଠ ପାଇଁ ଶାଳ ଓ ମହୁଲ ଗଛ ରୋପଣ କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରମ୍ପରାର ସଂରକ୍ଷଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ତେବେ ଏନେଇ ଜନ୍ମମାଟି ସଜେଇ ହୋଇଥିବା ବେଳେ ହେବାକୁ ଥିବା ତିନି ନୂତନ ରେଳପଥର ଅଗ୍ରଗତି ଓ ବାଙ୍ଗିରିପୋଷି ତଥା ବାରିପଦାକୁ ଟ୍ରେନ ଚଳାଚଳର ନୂତନ ଯୋଜନା ନେଇ ଏକ ଶୁଭସୂଚନା ନେଇ ସମଗ୍ର ଜିଲ୍ଲା ଅପେକ୍ଷାରତ ।






