ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଝାରବନ୍ଧ, ୩୧।୧୦: ରାସ୍ତା ମରାମତି ଅଭାବରୁ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି ଭୈଷାଦରହା–କୁରଲୁପାଳି ମୁଖ୍ୟ ରାସ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି। ଏଥିଯୋଗୁଁ ଯାତାୟାତରେ ନାନା ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭୈଷାଦରହାରୁ କୁରଲୁପାଳିକୁ ସଂଯୋଗ କରୁଥିବା ଏହି ରାସ୍ତା ବସନା ଓ ଖରିଆର ରୋଡ୍ ଦେଇ ନୂଆପଡ଼ା ଅଞ୍ଚଳକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। ଏହି ରାସ୍ତା ଉପରେ ଦୈନିକ ବହୁ ଲୋକ ଓ ଯାନବାହନ ନିର୍ଭର କରୁଛନ୍ତି। ହେଲେ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଇ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ହେଲେ ଏହି ଗର୍ତ୍ତଗୁଡ଼ିକ ପାଣିରେ ଭରିଯାଉଥିବାରୁ ଯାନବାହନ ଚାଳକମାନେ ଖାଲର ଗଭୀରତା ଜାଣି ନପାରି ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ଦୁଇଚକିଆ ଯାନ ଚାଳକ ଓ ରାତିରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି। ଅନ୍ୟପକ୍ଷରେ ଅଳ୍ପ ବର୍ଷାରେ ରାସ୍ତା ଉପରେ ଏତେ ପରିମାଣର ପାଣି ଜମିବା ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବକୁ ମଧ୍ୟ ପଦାରେ ପକାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ଯୋଗାଯୋଗ ପଥର ଏଭଳି ଅବସ୍ଥା ପ୍ରତି ପ୍ରଶାସନିକ ଅଧିକାରୀ ତଥା ଜନ ପ୍ରତିନିଧି ଙ୍କ ଦୃଷ୍ଟି କେବେ ପଡ଼ିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ରାସ୍ତାର ମରାମତି, ଖାଲଖମା ପୂରଣ ଓ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।






