ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଝାରବନ୍ଧ,୨।୧୧ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଚାଲିଥିବା ଏସ ଆଇ ଆର କାର୍ଯ୍ୟରେ ନିୟୋଜିତ ଜଣେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଝାରବନ୍ଧ ବ୍ଲଜ ବଡ଼ଅନକୀ ଗ୍ରାମରେ ଏସ. ଆଇ. ଆର. ଡ୍ୟୁଟି କରୁଥିବା ବିଏଲଓ କୃପାସିନ୍ଧୁ ବରିହାଙ୍କୁ ଜୈନେକ ବ୍ୟକ୍ତି ନିଜ ପତ୍ନୀ ର ନାମରେ ଟାଇଟିଲ ପରିବର୍ତନ କୁ ନେଇ ବଚସା ପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଚିକିତ୍ସା ସମୟରେ ୮ଟି ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି। ଆହତ ବି ଏଲ ଓ ଙ୍କ ବୟାନ ଅନୁସାରେ ରାଜେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଜଣେ ମହିଳାଙ୍କ ଭୋଟର ତାଲିକାରେ ସ୍ୱାମୀଙ୍କ ସରନେମ୍ ପରିବର୍ତ୍ତନକୁ ନେଇ ଆଲୋଚନା ଚାଲିଥିବାବେଳେ ବଚସା ତୀବ୍ର ରୂପ ନେଇଥିଲା ବୋଲି ସେ କହିଛନ୍ତି। ଆହତ ବିଏଲଓ ଙ୍କୁ ପ୍ରଥମେ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ, ଘଟଣାକୁ ନେଇ ଏପର୍ଯ୍ୟନ୍ତ ଥାନାରେ ଏତଲା ଦାଖଲ ହୋଇନଥିବାରୁ ପୋଲିସ ପକ୍ଷରୁ କୌଣସି ଔପଚାରିକ ତଦନ୍ତମୂଳକ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ତେବେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ଜଣେ ସରକାରୀ କର୍ମଚାରୀ ଡ୍ୟୁଟି ସମୟରେ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ଗମ୍ଭୀର ଉଦ୍ବେଗ ପ୍ରକାଶ ପାଇଛି। ସରକାରୀ ଦାୟିତ୍ୱ ସମ୍ପାଦନ କରୁଥିବା କର୍ମଚାରୀଙ୍କ ସୁରକ୍ଷା ଯଦି ସୁନିଶ୍ଚିତ ନହୁଏ, ତେବେ ନିର୍ବାଚନୀ କାର୍ଯ୍ୟ କିପରି ନିର୍ବିଘ୍ନରେ ସମ୍ପନ୍ନ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠୁଛି। ଏ ସମ୍ପର୍କ ରେ ଝାରବନ୍ଧ ବିଡ଼ିଓ ପର୍ଶୁରାମ ପଣ୍ଡା ଙ୍କୁ ପଚାରିବାରୁ ବି.ଏଲ. ଓ. ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି,ଆଇନ ଅନୁଯାୟୀ ଥାନାରେ ରିପୋର୍ଟ କରାଯିବ ବୋଲି କହିଛନ୍ତି l






