ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩/୧୧/୨୬ -ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ପୋଲିସକୁ ଆଜି ମିଳିଛି ଏକ ବଡ଼ ଧରଣର ସଫଳତା । ଲକ୍ଷ୍ମୀପୋଷିସ୍ଥିତ କେବି ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଗୋଡାଇ ଗୋଡାଇ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ପୁଲିସ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ମଧ୍ୟ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ଦେଇ ଏକ କାରରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୋଲିସକୁ କୌଣସି ସୂତ୍ରରୁ ଗୁଇନ୍ଦା ସୂଚନା ମିଳିଥିଲା । ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା । ଏହି ସମୟରେ ସନ୍ଦିଗ୍ଧ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍କୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା । ପୁଣି ପୁଲିସ ତୁରନ୍ତ ଗାଡ଼ିରେ ଥିବା ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ସହ ଘଟଣାସ୍ଥଳରୁ ଉକ୍ତ ଚାଲାଣ ଗଞ୍ଜେଇ, ନଗଦ ଲକ୍ଷାଧିକ ଟଙ୍କା ଓ କାର୍ଟିକୁ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରହିଛି । ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ର୍ୟାକେଟ୍ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି ।






