ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:
ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଓ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସାରଳା ଗ୍ରାମର ପ୍ରସ୍ତାବିତ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ଦୀର୍ଘ ଦିନର ଦାବି ପରେ ରାସ୍ତା କାମ ଆରମ୍ଭ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟ ଶେଷ କରିବାରେ ଅହେତୁକ ବିଳମ୍ବ ଯୋଗୁଁ ସାରଳା ଏବଂ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ରାସ୍ତାଟିକୁ ଖୋଳି ଦିଆଯାଇ ଦୀର୍ଘ ମାସ ଧରି ସେମିତି ଛାଡ଼ି ଦିଆଯାଇଛି। ସାମାନ୍ୟ ବର୍ଷା ହେଲେ ସମ୍ପୂର୍ଣ୍ଣ ରାସ୍ତାଟି ଏକ କାଦୁଅର ପୋଖରୀରେ ପରିଣତ ହେଉଛି, ଯାହା ଉପରେ ଚାଲିବା କିମ୍ବା ଗାଡ଼ି ମୋଟର ଚଳାଇବା ସମ୍ପୂର୍ଣ୍ଣ ଅସମ୍ଭବ। ସ୍ଥାନୀୟ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ଏବଂ ବୃଦ୍ଧବୃଦ୍ଧାମାନେ ପ୍ରତିଦିନ ଏହି ପିଚୁ-ମାଟି ମିଶା କାଦୁଅ ରାସ୍ତାରେ ସ୍ଲିପ୍ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହା ଉପରେ ଦୈନିକ ଶତାଧିକ ଗାଡ଼ି ନିର୍ଭର କରନ୍ତି, ମାତ୍ର ବର୍ତ୍ତମାନର ଅବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ବିଭାଗୀୟ ଅଧିକାରୀମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି ।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ଭିତରକୁ ୧୦୮ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପଶିପାରୁ ନାହିଁ ।

ଗତ ସପ୍ତାହରେ ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକଙ୍କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଟେକି ଟେକି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଥିଲା। ପ୍ରଶାସନର ଏଭଳି ଦାୟିତ୍ୱହୀନତା ପାଇଁ ଯଦି କୌଣସି ଧନଜୀବନ ହାନି ହୁଏ, ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଠିକାଦାର ଓ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣରେ ଅତି ନିମ୍ନମାନର ମେଟାଲ, ଡଷ୍ଟ ଓ ସିମେଣ୍ଟ ବ୍ୟବହାର କରାଯାଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । କେତେକ ସ୍ଥାନରେ ଯେଉଁ ଟିକିଏ ପିଚୁ କାମ ହୋଇଛି, ତାହା ମଧ୍ୟ ଗୋଡ଼ ମାରିଲେ ଉଠିଯାଉଛି । ଠିକାଦାର କେବଳ ନିଜ ମଲାଭ ପାଇଁ ସରକାରୀ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଛନ୍ତି । ରାସ୍ତାର ତୁରନ୍ତ ସଂସ୍କାର ଏବଂ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାରଳା ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ଆସନ୍ତା ସପ୍ତାହ ମଧ୍ୟରେ ରାସ୍ତା କାମ ସଠିକ୍ ଭାବେ ଆରମ୍ଭ ନହୁଏ, ତେବେ ଗ୍ରାମବାସୀ ଏକତ୍ରିତ ହୋଇ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଆଗାମୀ ଦିନରେ ବୃହତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।





