ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ମେଲଛାମୁଣ୍ଡା,୫। ୧୧ ସୋହେଲା ବ୍ଲକ ଅନ୍ତର୍ଗତ କୁଚିପାଲି ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶୋଭନ କୁମାର ନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୋହେଲା ବ୍ଲକ ବିଡ଼ିଓ କରିସ୍ମା ବେଶ୍ରା ଏବଂ ଏ.ଭି.ଡି.ଓ. ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ୍ ପ୍ରୋତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସୋହେଲା ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର ଚଳିତ ବର୍ଷ ଚାଷୀମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ବେହାଲ ହୋଇପଡ଼ିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଅନେକ ଯୋଜନା ରହିଛି, କିନ୍ତୁ ଏହା କେବଳ ‘ଧର୍ମର ଆଖିଠାର’ ନହୋଇ ଯଦି ଠିକ୍ ଭାବେ କାର୍ଯ୍ୟକାରୀ କରାଯାଏ, ତେବେ ସୋହେଲା ବ୍ଲକର ପ୍ରକୃତ ଚାଷୀମାନେ ପ୍ରକୃତରେ ଉପକୃତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଶ୍ରୀ ନାୟକ ମତ୍ସ୍ୟଚାଷୀ ଓ ଗୋପାଳକମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସଫଳ ଚାଷୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢ଼ୌକନ, ମାନପତ୍ର, ନଗଦ ରାଶି ଏବଂ ଚେକ୍ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ମେଳାରେ ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଉଦ୍ଭିଦ ବିଭାଗ, କୃଷି ବିଭାଗ, ଶିଳ୍ପ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ କକ୍ଷ ଖୋଲାଯାଇଥିଲା । ସୋହେଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁସଂଖ୍ୟାରେ ଚାଷୀ ଯୋଗଦେଇ ଏଥିରୁ ଜ୍ଞାନକୌଶଳ ହାସଲ କରିଥିଲେ । ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ମେଳା ପରିଚାଳନାରେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।





