ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ,୫।୧୧ ଜଙ୍ଗଲ ସୁରକ୍ଷା ଓ ବିଭାଗୀୟ କାର୍ଯ୍ୟର ସୁଗମ ପରିଚାଳନା ପାଇଁ ନିର୍ମାଣ ହୋଇଛି ସରକାରୀ କାର୍ଯ୍ୟାଳୟ ଓ ବାସଗୃହ। ହେଲେ ଏବେ ଏହାର ଅବସ୍ଥା ଭିନ୍ନ। କାର୍ଯ୍ୟାଳୟ ଓ ବାସଗୃହରେ ଝୁଲୁଛି ତାଲା। ଚାରିପାଖରେ ଘାସବୁଦା ମାଡ଼ିଯାଇଥିବା ବେଳେ ଦୀର୍ଘଦିନ ଧରି ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି।
ବରଗଡ଼ ବନଖଣ୍ଡ ଅଧୀନ ପାଇକମାଳ ବନାଞ୍ଚଳର ଝାରବନ୍ଧ ବନପାଳ କାର୍ଯ୍ୟାଳୟ ଅଧୀନରେ ଥିବା ବନବାସୁ ବନରକ୍ଷୀଙ୍କ ବାସଗୃହ ଓ କାର୍ଯ୍ୟାଳୟ ଭୈଷାଦରହା ଗ୍ରାମପଞ୍ଚାୟତର ଦେୱାନପାଳି ଗ୍ରାମରେ ଅବସ୍ଥିତ। ବନରକ୍ଷୀ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି l ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ବିଭିନ୍ନ ବନ ବିଭାଗୀୟ କାର୍ଯ୍ୟର ସୁବିଧା ପାଇଁ ଏହି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ମାତ୍ର କର୍ମଚାରୀ ଅଭାବରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ସହ ସମ୍ମୁଖ ଭାଗରେ ଘାସ ଓ ବୁଦା ମାଡ଼ିଯାଇଛି। ଏହାର ରକ୍ଷଣାବେକ୍ଷଣ ଓ ନିୟମିତ ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଛତିଶଗଡ ସୀମାନ୍ତ ବନରକ୍ଷୀ କାର୍ଯ୍ୟାଳୟ ହୋଇଥିବାରୁ ଜଙ୍ଗଲ ସମ୍ପଦର ସୁରକ୍ଷା ଦୃଷ୍ଟିରୁ ବନ କର୍ମଚାରୀଙ୍କ ଉପସ୍ଥିତି ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଗୁରୁତ୍ୱ ରହିଛି। ଏଭଳି ସ୍ଥିତିରେ ସରକାରୀ କାର୍ଯ୍ୟାଳୟ ତାଲାବନ୍ଦ ହୋଇ ରହିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କାର୍ଯ୍ୟାଳୟଟି ନିୟମିତ ଖୋଲା ରହୁନାହିଁ ଏବଂ ବନରକ୍ଷୀଙ୍କ ରହଣି ହେଉନାହିଁ l କେବଳ ଜରୁରୀ କାମ ପଡିଲେ କେବେକେବେ ଅଧିକାରୀ ଏଠାକୁ ଆସନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି l ଝାରବନ୍ଧ ବ୍ଲକ ରେ କାଠ ଚୋରା ଚାଲାଣ ର ଖବର କିଛି ଦିନ ତଳେ ବେହେରା ଡ଼ୁବୁରୀ ରେ ଘଟି ଥିବା ବେଳେ ଦେୱାନପାଳି ର ଏହି କାର୍ଯାଳୟ କୁ କାହିଁକି ଅଚଳ ଅବସ୍ଥାରେ ରଖା ଯାଇଛି ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ସମ୍ପୃକ୍ତ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହାର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟାଳୟର ନିୟମିତ ପରିଚାଳନା, ପରିମଳ ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ମହଲରେ ଦାବି ହେଉଛି।






