ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼, ୨୨। ୧୦,ବରଗଡ଼ ପୋଲିସ ରିଜର୍ଭ ପଡ଼ିଆରେ ବୁଧବାର ୬୭ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଦେଶର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବା ସହ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ସାହସୀ ପୋଲିସ କର୍ମଚାରୀଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଲିସ ବାହିନୀ ପକ୍ଷରୁ ପରେଡ୍ ଅନୁଷ୍ଠିତ ହୋଇଥିଲା। ଏହାପରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ସହିଦ ପୋଲିସ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିବ ପ୍ରସାଦ ବିଶ୍ୱାଳ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୋଳାମଣି ଭୋଇ, ଏସ୍ଡିପିଓ ଏ.ବି. ଶିଳ୍ପା, ଏସ୍ଡିପିଓ ପଦାର ବିନ୍ଦୁ ତ୍ରିପାଠୀ ଏବଂ ଆର୍ଆଇ ଅଜୟ କୁମାର ଏକ୍କାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏଥି ସହ କନେଷ୍ଟବଳ ହାବିଲଦାର ସଂଘର ସଭାପତି ସନତ କୁମାର ହୋତା, ସମ୍ପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ଡାକ୍ତର ସନ୍ତୋଷ କୁମାର ପ୍ରଧାନ ଓ ଉପସଭାପତି ଧନେଶ୍ୱର ମେହେରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଯୋଗଦେଇଥିଲେ। ପୋଲିସ ସହିଦ ଦିବସ ଅବସରରେ ସହିଦମାନଙ୍କ ତ୍ୟାଗ, ସାହସ ଓ ଦେଶ ପ୍ରତି ସେମାନଙ୍କ ନିଷ୍ଠାକୁ ସ୍ମରଣ କରାଯିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ସଦା ସମର୍ପିତ ରହିବାର ବାର୍ତ୍ତା ଦିଆଯାଇଥିଲା।






