ଅବିନାଶ ଗଡତିଆ /ବରଗଡ/ସମୀକ୍ଷା ନ୍ୟୁଜ :
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ବିମାନବନ୍ଦରର କିଛି ଏୟାରଲାଇନ୍ସ କର୍ମଚାରୀ ହାଇ-ସିକ୍ୟୁରିଟି ବା ଉଚ୍ଚ-ସୁରକ୍ଷା ବଳୟ ମଧ୍ୟରେ ସୋସିଆଲ ମିଡିଆ ପାଇଁ ଭାଇରାଲ୍ ଡ୍ୟାନ୍ସ ରୀଲ୍ସ ଏବଂ ବ୍ଲଗିଂ କରୁଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାରସୁଗୁଡ଼ା ବିମାନବନ୍ଦରର କିଛି କର୍ମଚାରୀ ନିଜ ୟୁନିଫର୍ମ ପିନ୍ଧି ଡ୍ୟୁଟିରେ ଥିବା ସମୟରେ ବିମାନବନ୍ଦରର ଅତି ସମ୍ବେଦନଶୀଳ ତଥା ନିଷିଦ୍ଧାଞ୍ଚଳ ଯେପରିକି ବ୍ୟାଗେଜ୍ କନଭେୟର ବେଲ୍ଟ, ଏୟାରସାଇଡ୍ ଆପ୍ରନ୍ ଏବଂ ରନୱେ ପାର୍ଶ୍ୱବର୍ତ୍ତୀ ସୁରକ୍ଷିତ ଅଞ୍ଚଳରେ ରୀଲ୍ସ ଓ ବ୍ଲଗିଂ ରେକର୍ଡିଂ କରିଥିଲେ। ଏହି ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭିୟୁଜ୍ ପାଇବା ପରେ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିମାନବନ୍ଦର ପରାମର୍ଶଦାତା କମିଟି ର ସଦସ୍ୟ ସୁରେନ୍ଦ୍ର ବାରିକ ଏକ ଆନୁଷ୍ଠାନିକ ଲିଖିତ ଅଭିଯୋଗ ପତ୍ର କମିଟିର ଅଧ୍ୟକ୍ଷ ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ଏହି ସୁରକ୍ଷା ତ୍ରୁଟି ପାଇଁ ନିମ୍ନଲିଖିତ ଦାବି କରାଯାଇଛି ସୁରକ୍ଷିତ ତଥା ନିଷିଦ୍ଧ ଜୋନରେ ବେଆଇନ ଭିଡିଓଗ୍ରାଫିର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କର ଏୟାରପୋର୍ଟ ଏଣ୍ଟ୍ରି ପାସ୍ ର ପୁନର୍ବିଚାର । ଝାରସୁଗୁଡ଼ା ବିମାନବନ୍ଦର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଏବଂ ନିକଟରେ ଏହାର ରନୱେ ଏବଂ ଟର୍ମିନାଲ୍ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ୨,୧୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଭଳି ସମୟରେ କେବଳ ସୋସିଆଲ ମିଡିଆରେ “ଲାଇକ୍ସ” ଓ “ଭିୟୁଜ୍” ପାଇଁ ବିମାନବନ୍ଦରର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବା ବିମାନ ଯାତ୍ରୀ ଏବଂ ଜାତୀୟ ସୁରକ୍ଷା ପ୍ରତି ଏକ ବଡ଼ ବିପଦ।






