ଅବିନାଶ ଗଡତିଆ/ବରଗଡ/ସମୀକ୍ଷା ନ୍ୟୁଜ:
ବରଗଡ଼ ଜିଲ୍ଲା ତୁରଙ୍ଗା ଅଞ୍ଚଳରେ ଜମି ବିବାଦକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ଥାନୀୟ ପ୍ରଭାବଶାଳୀ ଭୂମାଫିଆ ଓ ପ୍ରଶାସନର କିଛି କର୍ମଚାରୀଙ୍କ ଯୋଗୁଁ ଚାଷୀଙ୍କ ପୈତୃକ ସମ୍ପତ୍ତିକୁ ଜାଲିଆତି କରି ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଓ ଜମି ମାଲିକ ରାଜପଥ ଅବରୋଧ କରିବା ସହ ପ୍ରଶାସନ ବିରୋଧରେ ନାରାବାଜି କରିଛନ୍ତି। ଅଭିଯୋଗ ଅନୁଯାୟୀ, ତୁରଙ୍ଗା ମୌଜାରେ ଥିବା ଏକ ବଡ଼ ଚାଷ ଜମିର କିଛି ଅଂଶୀଦାର ନିଜ ଭାଗ ବିକ୍ରି କରିଥିବା ବେଳେ ଅନ୍ୟ ଅଂଶୀଦାରମାନେ ଜମି ବିକ୍ରି କରିବାକୁ ମନା କରିଥିଲେ। ମାତ୍ର ଭୂମାଫିଆମାନେ ନକଲି ଦସ୍ତଖତ ଏବଂ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ସମ୍ପୂର୍ଣ୍ଣ ଜମିକୁ ନିଜ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି । କେବଳ ସେତିକି ନୁହେଁ, ରାତାରାତି ଚାଷ ଜମିରେ ମାଟି ପକାଇ ଫସଲ ନଷ୍ଟ କରିବା ସହ ସେଠାରେ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି।ଜମି ହରାଇଥିବା ଜଣେ ପୀଡ଼ିତ ଚାଷୀ କହିଛନ୍ତି, “ଏହି ପୈତୃକ ଜମି ହିଁ ଆମ ପରିବାରର ଜୀବିକାର ଏକମାତ୍ର ମାଧ୍ୟମ ଥିଲା। ଆମ ବିନା ଅନୁମତି ଓ ଦସ୍ତଖତରେ କିଭଳି ଜମି ବିକ୍ରି ହେଲା, ସେ ନେଇ ଆମେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ।ନ୍ୟାୟ ନମିଳିଲେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।ଅପରପକ୍ଷରେ, ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ରାଜନୈତିକ ନେତା ଓ ସାମାଜିକ କର୍ମୀମାନେ ମଧ୍ୟ ଚାଷୀଙ୍କ ସପକ୍ଷରେ ବାହାରି ଏହି ସ୍କାମର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।






