ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ:
ବଲାଙ୍ଗୀର ଜିଲ୍ଲାରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଅପରାଧୀ। ଆଜି ଜିଲ୍ଲାରେ ଏକ ବଡ଼ ଧରଣର ସଶସ୍ତ୍ର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୩ଟାରୁ ୪ଟା ସମୟରେ ୪ ରୁ ୫ ଜଣ ସଶସ୍ତ୍ର ଡକାୟତ ବ୍ୟବସାୟୀଙ୍କ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରିବାର ଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ର ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ପରିବାର ସଦସ୍ୟଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ଆଲମାରୀରୁ ଲକର୍ ଭାଙ୍ଗି ସେଥିରେ ଥିବା ସମସ୍ତ ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ।

ପ୍ରାଥମିକ ଆକଳନ ଅନୁଯାୟୀ ଲୁଟ୍ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦୁର୍ବୃତ୍ତମାନେ ଚାଲିଯିବା ପରେ ପରିବାର ଲୋକେ ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପୋଲିସର ଏକ ସ୍ପେଶାଲ୍ ଟିମ୍ ଏବଂ ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।





