ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼,୩୧। ୧୦ : ବରଗଡ଼ ସ୍ଥିତ ସଂସ୍କାର ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଶୁକ୍ରବାର (୩୦ ଅକ୍ଟୋବର)ଦିନ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା, ବିଭିନ୍ନ କ୍ୟାରିୟର ବିକଳ୍ପ ଏବଂ ଭବିଷ୍ୟତର ସମ୍ଭାବନା ବିଷୟରେ ଅବଗତ କରାଇବା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚାରିଜଣ ପୁରାତନ ଛାତ୍ରଛାତ୍ରୀ ନିଜର ଶିକ୍ଷାଗତ ଏବଂ ବୃତ୍ତିଗତ ଅନୁଭୂତି ବାଣ୍ଟିଥିଲେ। ସେମାନଙ୍କ ମଧ୍ୟରେ ସୃଷ୍ଟି ଅଗ୍ରୱାଲ (ବ୍ୟାଚ୍ ୨୦୨୨), ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ବର୍ତ୍ତମାନ ୟୁ.ପି.ଏସ୍.ସି ପରୀକ୍ଷା ପାଇଁ ପ୍ରସ୍ତୁତିରତ; ଅଭିଷେକ ଅଗ୍ରୱାଲ (ବ୍ୟାଚ୍ ୨୦୨୩), କୋଲକାତାର ସେଣ୍ଟ ଜାଭିୟର୍ସ କଲେଜରୁ ବି. କମ୍ ସ୍ନାତକ; ଆର୍ଯ୍ୟା ସାୱଡ଼ିଆ (ବ୍ୟାଚ୍ ୨୦୧୮), ବେଙ୍ଗାଲୁରୁ ସ୍ଥିତ ଇ ୱାଇ ଜି ଡି ଏସ ରେ ଆସିଷ୍ଟାଣ୍ଟ ଆକ୍ଚୁଆରିଆଲ୍ ମ୍ୟାନେଜର ଏବଂ ଅନୁକୃତି ଅଗ୍ରୱାଲ (ବ୍ୟାଚ୍ ୨୦୧୮), ଅର୍ଥନୀତିରେ ସ୍ନାତକ ଏବଂ ଆଲାଏନ୍ସ ବିଶ୍ୱବିଦ୍ୟାଳୟରୁ ଏମ୍. ବି. ଏ ଡିଗ୍ରୀ ହାସଲ କରିଥିବା ଛାତ୍ରୀ ସାମିଲ ଥିଲେ। ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ୍ ସୁମନ ସାୱଡ଼ିଆ, ଡାଇରେକ୍ଟର ଅଜିତ ପଟ୍ଟନାୟକ, ପ୍ରିନ୍ସିପାଲ୍ କରନ ସାହୁ, ଭାଇସ୍ ପ୍ରିନ୍ସିପାଲ୍ ସୀମା ସାହୁ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା ସମିତି ପୁରାତନ ଛାତ୍ରଛାତ୍ରୀଙ୍କ ଏହି ଅଂଶଗ୍ରହଣକୁ ପ୍ରଶଂସା କରିବା ସହ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗଦର୍ଶନ ଦେବା ଦିଗରେ ଏହାକୁ ଏକ ସାର୍ଥକ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷାର ନମ୍ବରକୁ ଆଧାର କରି ନୁହେଁ, ବରଂ ନିଜର ରୁଚି ଓ ଦକ୍ଷତାକୁ ଚିହ୍ନି କ୍ୟାରିୟର ଚୟନ କରିବା ଉଚିତ ବୋଲି ବୁଝିବାର ସୁଯୋଗ ପାଇଥିଲେ। ନିଜ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତା ଓ ଅନୁଭୂତିରୁ ପ୍ରେରଣା ଲାଭ କରି ସେମାନେ ଭବିଷ୍ୟତର ବିଭିନ୍ନ ସମ୍ଭାବନା ବିଷୟରେ ଏକ ନୂତନ ଦୃଷ୍ଟିକୋଣ ପାଇଥିଲେ। କାର୍ଯ୍ୟକ୍ରମଟିକୁ ଶିକ୍ଷୟିତ୍ରୀ ଅନ୍ୱେଷା ବିଶ୍ୱାଳ ପରିଚାଳନା କରିଥିବା ବେଳେ ଶିକ୍ଷକ ବିର୍ଜୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।






